ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଭାଲୁମୁଣ୍ଡା ଛକ ବଡଯୋରା ପୂର୍ତ୍ତ ବିଭାଗ ରାସ୍ତାକୁ ଲାଗି ରହିଛି ଶ୍ରୀ ଶ୍ରୀ ବାଙ୍କ ବିହାରୀ ସେବାଶ୍ରମ । ଶନିବାର ଦିନ ଉକ୍ତ ଆଶ୍ରମରେ ଚଳିତ ବର୍ଷ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦିବସରେ ଆଡମ୍ବର ସହକାରେ ପାଳିତ ହୋଇଯାଇଛି ଗିରି ଗୋବର୍ଦ୍ଧନ ପୂଜା ( ଅନ୍ନକୁଟ ମହୋତ୍ସବ ) । ଆଶ୍ରମଟି ପାଟରପଦା ପଞ୍ଚାୟତର ଶ୍ରଦ୍ଧାଳୁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ପଞ୍ଚାୟତବାସୀ ଓ ଏହାର ପାଖ ପଡୋଶୀ ଭକ୍ତମାନେ ଆସି ଉକ୍ତ ଉତ୍ସବକୁ ସହଯୋଗ କରିଥିଲେ ।
ଶନିବାର ଦିନ ସକାଳ ପ୍ରାୟ ସାଢେ଼ ୯ ଘଟିକା ସମୟରେ ଭକ୍ତ ମାନଙ୍କ ଆଗମନରେ ସ୍ୱହସ୍ତରେ ଅର୍ପଣ କରିଥିବା ଫଳମୂଳ, ପୋଡ ପିଠା, ଅଭଡ଼ା ଓ ବିଭିନ୍ନ କିସମର ମିଠା ପ୍ରଭୃତି ପୂଜା ଆସ୍ଥାନକୁ ଆଣିଥିଲେ । ଆଶ୍ରମର କାଳିଆ ବାବାଙ୍କ ଦ୍ବାରା ସମସ୍ତ ଭୋଗକୁ ପୂଜାର୍ଚ୍ଚନା କରାଯାଇଥିବା ବେଳେ,ସକାଳ ୧୦ ଘଟିକା ସମୟରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ବ୍ଲକର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୩୦ ଦଳ ମହିଳା ଓ ପୁରୁଷ ନାମ ସଙ୍କୀର୍ତ୍ତନ ମଣ୍ଡଳୀ ମାନେ ଆସି ବିଭିନ୍ନ ଶୈଳୀରେ ନାମ ପରିବେଷଣ ସାଙ୍ଗକୁ ହରିବୋଲ ହୁଳହୁଳିରେ ପରିବେଶ ମାହୋଲ ସୃଷ୍ଟି ହୋଇଥିଲା ।
ଆଶ୍ରମର ମୁଖ୍ୟ ଦାୟିତ୍ଵ ନିର୍ବାହ କରୁଥିବା ତ୍ରିବିକ୍ରମ ଦାସଙ୍କ ତତ୍ତ୍ଵାବଧାନରେ ପ୍ରତି ବର୍ଷ ପରି ଚଳିତ ବର୍ଷ ଗୋବର୍ଦ୍ଧନ ପୂଜା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ଅତିଥି, ପରଜଙ୍ଗ ବ୍ଲକର ସଙ୍କୀର୍ତ୍ତନ ମଣ୍ଡଳୀ ମହାସଂଘର ସଭାପତି ଅକ୍ଷୟ କୁମାର ନାୟକ, କୋଷାଧ୍ୟକ୍ଷ ଅଭୟ କୁମାର ସାହୁ, ସମ୍ପାଦକ ଅଶୋକ କୁମାର ଦଳବେହେରା, ବୟୋଜ୍ୟେଷ୍ଠ ତଥା ଅଞ୍ଚଳର ଜଣାଶୁଣା ସଙ୍କୀର୍ତ୍ତନ ଗୁରୁ ତଅଁଳୁ ସାହୁ ,ଉପଦେଷ୍ଟା ହୃଦୟ ଚମ୍ପତସିଂହ ,ସୁବୋଧ ପଣ୍ଡାଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିବା ବେଳେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାଗମ ଦେଖିବାକୁ ମିଳିଥିଲା । ପରିଶେଷରେ ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା ।