ବାଥରୁମ ଲାଗୁଛି କହି ହସ୍ପିଟାଲରୁ ଚମ୍ପଟ ମାରିଲେ ଅଭିଯୁକ୍ତ, ପୁଲିସର ତନାଘନା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଏକ ଗଣ୍ଡଗୋଳ ମାମଲାରେ ଶନିବାର ଗିରଫ ହୋଇଥିଲେ ଜଣେ ଅଭିଯୁକ୍ତ । କୋର୍ଟ ଚାଲାଣ ପାଇଁ ଡାକ୍ତରୀ ମାଇନା ହେବାକୁ ମଧ୍ୟ ଗଲେ । ହେଲେ ବାଥରୁମ ଲାଗୁଛି କହି ଅଭିଯୁକ୍ତ ଜଣଙ୍କ କ୍ୟାପିଟାଲ ହସ୍ପିଟାଲରୁ ଚମ୍ପଟ ମାରିବା ଘଟଣା କମିଶନରେଟ ପୁଲିସର କଡ଼ା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି । ପୁଲିସ ପଞ୍ଝାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ରାଜଧାନୀରେ ଏହା ପ୍ରଥମ ଘଟଣା ନୁହେଁ । ଅଗରୁ ମଧ୍ୟ ଅନେକ ବାର ପୁଲିସକୁ ଚକମା ଦେଇ ଅଭିଯୁକ୍ତମାନେ ଖସିବାରେ ସଫଳ ହୋଇଛନ୍ତି । ଏଥିପାଇଁ ବହୁ ପୁଲିସ କର୍ମଚାରୀ ନିକଟ ଅତୀତରେ ସସ୍ପେଣ୍ଡ ମଧ୍ୟ ହୋଇଛନ୍ତି । ଆଜିର ଏହି ଘଟଣାରେ ପୁଲିସ କମିଶନର କ’ଣ କଡ଼ା କର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା । ଅନ୍ୟପଟରେ ବାରମ୍ବାର ଏହି ଘଟଣା ଘଟୁଥିବାରୁ କମିଶନରେଟ ପୁଲିସ ଶୋଇରହିଥିବା ବୁଦ୍ଧିଜୀବୀ ମତ ରଖିଛନ୍ତି ।

ଏୟାରଫିଲ୍ଡ ଥାନା ଅଚଂଳରେ ଘଟିଥିବା ଏକ ଗଣ୍ଡଗୋଳ ମାମଲାରେ ପୁଲିସ ଭିକି ଗୁରୁ ନାମକ ଜଣେ ଅଭିଯୁକ୍ତକୁ ବାନ୍ଧିଥିଲା । କୋର୍ଟ ଚାଲାଣ ପୂର୍ବରୁ ତା’ର ଡାକ୍ତରୀ ମାଇନା କରିବା ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା । ଡାକ୍ତର ଭିକିର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ବାଥରୁମ ଲାଗୁଛି ବୋଲି ସେ ପୁଲିସକୁ କହିଥିଲା । ସୁରକ୍ଷା କର୍ମୀ ସହ ଭିକି ବାଥରୁମ ନିକଟକୁ ଯାଇଥିଲା । ଠିକ ଏହି ସମୟରେ ଅଭିଯୁକ୍ତ ଜଣଙ୍କ ବାଥରୁମ ଝରକା ଭାଙ୍ଗି ଚମ୍ପଟ ମାରିଥିଲା । ବିଳମ୍ବ ହେବାରୁ ବାହାରେ ଜଗିଥିବା ସୁରକ୍ଷା କର୍ମୀ ଅଭିଯୁକ୍ତକୁ ଡାକିଥିଲେ । ହେଲେ ଭିତରୁ କୌଣସି ଶବ୍ଦ ନଆସିବାରୁ ପୁଲିସ କବାଟ ଭାଙ୍ଗିଥିଲା । ହେଲେ ସେତେବେଳକୁ ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଥିବା ସୂଚନା ମିଳିଛି । ତା’କୁ ଧରିବା ପାଇଁ ପୁଲିସ ତନାଘନା ଜାରି ରଖିଛି ।


ସେୟାର କରନ୍ତୁ