ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ସାମ୍ନାରେ ପୁଣି ଏକ ସମସ୍ୟା ମୁଣ୍ଡ ଟେକିଛି । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗତ ଶୁକ୍ରବାର ଦିନ ଅଶ୍ଳୀଳ ନେଟୱାର୍କ ସହ ଜଡିତ ଅର୍ଥ ହେର୍ଫେର୍ ମାମଲାରେ ରାଜ କୁନ୍ଦ୍ରାଙ୍କ ବାସଭବନ ତଥା କାର୍ଯ୍ୟାଳୟରେ ଚଢ଼ଉ କରିଥିଲା ।
ଇଡିର ଚଢ଼ାଉ ପରେ ରାଜକୁନ୍ଦ୍ରା ପ୍ରତିକ୍ରିୟା ଦେଇ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ କହିଛନ୍ତି, ‘ନାଟକୀୟ ଢ଼ଙ୍ଗରେ ଖବର ପ୍ରସାରଣ କରିବାର ଶୈଳୀ ଗଣମାଧ୍ୟମର ରହିଛି । ଚାଲନ୍ତୁ ବାସ୍ତବ ଘଟଣା କ’ଣ ତାହା ସାମ୍ନାକୁ ଆଣିବା । ମୁଁ ଗତ 4ବର୍ଷ ହେବ ଚାଲୁ ରହିଥିବା ଯାଞ୍ଚର ସମ୍ପୂର୍ଣ୍ଣ ଭାବେ ସହଯୋଗ କରୁଛି । ମନିଲଣ୍ଡ୍ରିଂ ମାମଲା ଠାରୁ ଆରମ୍ଭ କରି ଅଶ୍ଳୀଳ ନେଟୱାର୍କ ସହ ଜଡିତ ଅର୍ଥ ହେର୍ଫେର୍ ମାମଲାର ବାସ୍ତବତା କ’ଣ ତାହା ଲୁଚି ରହିପାରେ ନାହିଁ। ଶେଷରେ ନ୍ୟାୟ ସାମ୍ନାକୁ ଆସିଥାଏ ।
ମୋର ଆପଣମାନଙ୍କୁ ଅନୁରୋଧ ଦୟା କରି ସ୍ତ୍ରୀ ଶିଳ୍ପାଙ୍କ ନାମକୁ ଏହି ମାମଲାରେ ସାମ୍ନାକୁ ଆଣନ୍ତୁ ନାହିଁ । ଦୟା କରି ସୀମା ଅତିକ୍ରମ କରନ୍ତୁ ନାହିଁ ।
ଏହି ମାମଲାରେ ଶିଳ୍ପା ସେଟ୍ଟୀଙ୍କ ଓକିଲ ପ୍ରଶାନ୍ତ ପାଟିଲଙ୍କ ବୟାନ ସାମ୍ନାକୁ ଆସିଛି। ପ୍ରଶାନ୍ତ ପାଟିଲ କହିଛନ୍ତି, ‘ଗଣମାଧ୍ୟମରେ ଶିଳ୍ପା ସେଟ୍ଟୀ କୁନ୍ଦ୍ରାଙ୍କ ଘରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି ବୋଲି ଖବର ପ୍ରଚାର ହେଉଛି । ଏ କଥା କିନ୍ତୁ ସତ ନୁହେଁ । ଶିଳ୍ପା ସେଟ୍ଟୀଙ୍କ କୌଣସି ଘରେ ବି ଇଡି ଚଢ଼ାଉ କରି ନାହିଁ। କାରଣ ଯେଉଁ ସବୁ ମାମଲା ରାଜ କୁନ୍ଦ୍ରାଙ୍କ ବିରୋଧରେ ସାମ୍ନାକୁ ଆସିଛି ସେଥିରେ ଶିଳ୍ପା କୌଣସି ପ୍ରକାର ଲେଣଦେଣ ନାହିଁ ।
‘ଅଶ୍ଳୀଳ’ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ କୁନ୍ଦ୍ରାଙ୍କୁ ଜୁନ୍ 2021ରେ ଗିରଫ କରାଯାଇଥିଲା। ଦୁଇ ମାସ ଜେଲରେ ରହିବା ପରେ ସେ ସେପ୍ଟେମ୍ବର 2021ରେ ଜାମିନରେ ବାହାରକୁ ଆସିଥିଲେ ।
ମୁମ୍ବାଇ ପୁଲିସର କହିବାନୁସାରେ, ରାଜ ଏହି ମାମଲାରେ ମୁଖ୍ୟ ଷଡଯନ୍ତ୍ରକାରୀ ଥିଲେ । ତେବେ ଏହି ମାମଲାକୁ ନେଇ ଏବେ ତାଙ୍କ ବାସଭବନ ଓ ବିଭିନ୍ନ କାର୍ଯ୍ୟାଳୟରେ ଚଢ଼ଉ କରୁଛି ଇଡି ।