ନୂଆଦିଲ୍ଲୀ/ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶାରେ ଏନଏଚ୍-୯୦ ଅଧୀନରେ ପ୍ରଥମ ପର୍ଯ୍ୟାୟରେ ରାମେଶ୍ୱର ଠାରୁ କୋଣାର୍କ ଦେଇ ପାରାଦୀପ ପର୍ଯ୍ୟନ୍ତ ଗ୍ରୀନଫିଲ୍ଡ ‘କୋଷ୍ଟାଲ ହାଇୱେ’ ନିର୍ମାଣ ପାଇଁ ମଞ୍ଜୁର ମିଳିଛି । ପ୍ରାୟ ୧୬୦.୧୮ କିଲୋମିଟର ଲମ୍ବ ବିଶିଷ୍ଟ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ପ୍ରାୟ ୮ ହଜାର ୩୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟୟବରାଦ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ଭିତ୍ତିଭୂମି ଓ ଅର୍ଥନୀତିର ବିକାଶ ପାଇଁ ମୋଦୀ ସରକାର ସଦାସର୍ବଦା ପ୍ରତିବଦ୍ଧ । ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗ ଭିତ୍ତିଭୂମି ସୁଦୃଢ଼ କରିବା ସହ ରାଜ୍ୟର ବ୍ଲୁ ଇକୋନୋମୀ ଏବଂ ଶିଳ୍ପାୟନକୁ ନୂଆ ଗତି ଦେବ । ଏହି ପ୍ରକଳ୍ପ ହାଇବ୍ରିଡ୍ ଆନୁଇଟି ମୋଡରେ ନିର୍ମାଣ କରାଯିବ । ଏହି ମେଗା ପ୍ରକଳ୍ପକୁ ଦୁଇଟି ପ୍ୟାକେଜ୍ରେ ବିଭକ୍ତ କରାଯାଇଛି । ଏହି ପ୍ରଥମ ପର୍ଯ୍ୟାୟ ପ୍ୟାକେଜ୍-୧ ଅଧୀନରେ ରାମେଶ୍ୱର ଠାରୁ କାକଟପୁର ପର୍ଯ୍ୟନ୍ତ ପ୍ରାୟ ୭୯ କିଲୋମିଟର ରାସ୍ତାକୁ ୪-ଲେନ୍ ବିଶିଷ୍ଟ ହାଇୱେ କରାଯିବ ଏବଂ ପ୍ୟାକେଜ୍-୨ ଅଧୀନରେ କାକଟପୁର ଠାରୁ ପାରାଦୀପ ପର୍ଯ୍ୟନ୍ତ ପ୍ରାୟ ୮୦ କିଲୋମିଟର ରାସ୍ତାକୁ ପକ୍କା ସୋଲ୍ଡର ବିଶିଷ୍ଟ ୨-ଲେନ୍ ବିଶିଷ୍ଟ ରୋଡ୍ ଭାବେ ନିର୍ମାଣ କରାଯିବ।