ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଗଞ୍ଜଗୋଳସ୍ଥିତ ପ୍ରାଚୀନ ଐତିହାସିକ ଧୂନୀଘର ପଡ଼ିଆରେ ପହିଲି ରଜଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ରଜଯାତ୍ରା । ରଜ ସଂକ୍ରାନ୍ତିରେ ଧୂନୀ ମଠରେ ଭାବପୂର୍ଣ୍ଣ ଭାବେ ଠାକୁରଙ୍କୁ ଦର୍ଶନ କରିବା ସହିତ ଯାତ୍ରା ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ପ୍ରବଳ ମାତ୍ରାରେ ଜନ-ସମାଗମ ପରିଲକ୍ଷିତ ହୋଇଛି । ମଠ ମଧ୍ୟରେ ଥିବା ଧୂନୀ ମନ୍ଦିର,ମୁକ୍ତି ମଣ୍ଡପ,ଅଷ୍ଟଶମ୍ଭୁ,ବୃନ୍ଦାବତୀ ପୀଠ,ଶିବ ମନ୍ଦିର ସହିତ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ଜଳପୂର୍ଣ ବାମ୍ପିକୁ ଦେଖିବାର ସୁଯୋଗ ପାଆନ୍ତି । ମଠର ମହନ୍ତ ମାଧବାନନ୍ଦ ଦାସଙ୍କ କରିବା ଅନୁଯାୟୀ ଏହି ମଠରେ ପହିଲି ରଜଠାରୁ ଆରମ୍ଭ କରି ଚାରି ଦିନ ବ୍ୟାପୀ ଏହି ଯାତ୍ରା ଅନୁଷ୍ଠିତ ହୁଏ ।
ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ଆମ୍ବ ପଣସ । ଯାତ୍ରାରେ ଆମ୍ବ ପଣସ ବହୁ ମାତ୍ରାରେ ବିକ୍ରି ହେଉଥିବା ଯୋଗୁଁ କେହି କେହି ଆମ୍ବ ପଣସର ଯାତ୍ର। ବୋଲି କହିଥାନ୍ତି । ଗଞ୍ଜଗୋଳ ଗ୍ରାମ ପଞ୍ଚାୟତ ତତ୍ତ୍ଵାବଧାନରେ ପରିଚାଳିତ ଏହି ଜନବହୁଳ ଯାତ୍ରାରେ ଜିଲ୍ଲା ବାହାରୁ ଯଥା ଅନୁଗୋଳ,କେନ୍ଦୁଝର,କଟକ,ସମ୍ବଲପୁର,ବାଲେଶ୍ଵର,ନୟାଗଡ଼ ଆଦି ଜିଲ୍ଲାମାନଙ୍କର ବହୁ ଉଠା ଦୋକାନୀ ଆସି ସେମାନଙ୍କର ପସରା ମେଲାଇ ଭଲ ଦି ପଇସା ରୋଜଗାର କରନ୍ତି ।
ଫଳ ମଧ୍ୟରେ ଆମ୍ବ,ପଣସ,ଲୁହାର ସାମଗ୍ରୀ,ରସ ସାମଗ୍ରୀ,ବିଭିନ୍ନ ଖାଦ୍ୟ ଜିନିଷ,ମନୋହରୀ ଜିନିଷ ଓ ବିଭିନ୍ନ ଦୋକାନର ସାମଗ୍ରୀ ସାଥ୍କୁ ବିଭିନ୍ନ ଆକର୍ଷଣୀୟ ଦୋଳିରେ ଯାତ୍ରୀମାନେ ବସି ମଜା ନିଅନ୍ତୁ । ଯାତ୍ରୀମାନଙ୍କର ସୁବିଧା ପାଇଁ ଜଳ ଯୋଗାଣର ବ୍ୟବସ୍ଥା,ସ୍ବାସ୍ଥ୍ୟ ପାଇଁ ଖଜୁରିଆକଟା ଡାକ୍ତରଖାନାର କର୍ମଚାରୀ,ଶୃଙ୍ଖଳା ପାଇଁ ସ୍ଥାନୀୟ ପୋଲିସ ଓ ଦୁର୍ଘଟଣାର ମୁକାବିଲା ପାଇଁ ଦମକଳ କେନ୍ଦ୍ରର କର୍ମଚାରୀ ନିୟୋଜିତ ଥିଲେ । ଗ୍ରାମପଞ୍ଚାୟତ ସରପଞ୍ଚ ରମେଶ ଚନ୍ଦ୍ର ବିଶ୍ୱାଳ ସମସ୍ତ ଦାୟିତ୍ଵ ନିର୍ବାହ କରିଥିବା ଦେଖିବାକୁ ମିଳିଛି ।