ମାହାଙ୍ଗା : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀଙ୍କ ଉନ୍ନତି ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା କରି ଚାଲୁଥିବା ବେଳେ ମାହାଙ୍ଗାରେ ଆଦିବାସୀ ପରିବାରଙ୍କୁ ମିଳୁନାହିଁ କୌଣସି ସରକାରୀ ଯୋଜନା । ଏଭଳିସ୍ଥିତିରେ ଘରର ମୁଖିଆ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଏବେ ଶଯ୍ୟାଶାୟୀ । ସୂଚନା ଅନୁଯାୟୀ ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତରେ ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଏହି ପଞ୍ଚାୟତ ସୀମାରେ ଥିବା ଏକ ସରକାରୀ ଜମିରେ ଆଦିବାସୀ ସମ୍ପ୍ରଦାୟର ଡୁବୁଲା ବିରୁଆ (୫୩) ଏକ ଝାଟିମାଟି କୁଡ଼ିଆରେ ପରିବାର ସହ ରହୁଛନ୍ତି । ସେମାନେ ପୂର୍ବରୁ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଜାତୀୟ ରାଜପଥ କଡ଼ରେ ଚାଳିଆ କରି ରହୁଥିଲେ । ମାତ୍ର ଜାତୀୟ ରାଜପଥ ସମ୍ପ୍ରସାରଣରେ ତାଙ୍କ ଚାଳିଆ ଭାଙ୍ଗି ଦିଆଯାଇଥିଲା । ସେବେଠାରୁ ସେ ଏଠାକୁ ଆସି ପରିବାର ସହ ୮ବର୍ଷ ହେବ ରହୁଛନ୍ତି । ତାଙ୍କ ପରିବାର କହିଲେ ସ୍ତ୍ରୀ ଚାନ୍ଦ ବିରୁଆ (୪୬), ୪ଝିଅ ସଜନି (୨୬), ସୂର୍ଯ୍ୟ (୨୩), ତୁଳସୀ (୭) ଓ ରାଣୀ (୪)ଙ୍କ ସମେତ ୨ ପୁଅ ହନୁ (୧୯ ) ଓ ଅର୍ଜୁନ (୧୫ )ଙ୍କୁ ବୁଝାଏ ।
ଡୁବୁଲା ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ, ମା’ ବାହାରକୁ କାମ କରିବାକୁ ଯାଇଥିବାରୁ ବଡ ଝିଅ ବାପାଙ୍କ ସେବା ଶୁଶ୍ରୁଷା କରିବା ପାଇଁ ଆସି ସ୍ବାମୀ, ୨ ପୁଅ ଓ ଗୋଟିଏ ଝିଅକୁ ଧରି ଏଠାରେ ରହୁଛନ୍ତି । ତାଙ୍କ ସ୍ବାମୀ ଦିନ ମଜୁରିଆ ଭାବରେ କାମ କରି ବହୁ କଷ୍ଟରେ ସମସ୍ତଙ୍କ ପେଟ ପୋଷୁଛନ୍ତି । ଡୁବୁଲାଙ୍କ ଅଧାର କାର୍ଡ ନ ଥିବାରୁ କୌଣସି ସରକାରୀ ଯୋଜନାର ଲାଭ ମିଳୁପାରୁନାହିଁ। ୨୦୧୩ରେ ବାଲିଚନ୍ଦ୍ରପୁରରେ ଥିଲାବେଳେ ତାଙ୍କର ଆଧାର କାର୍ଡ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ହସ୍ତଗତ ହୋଇପାରିନାହିଁ । ଏବେ ବିଭିନ୍ନ ସରକାରୀ ଯୋଜନାରେ ସାମିଲ ହେବା ପାଇଁ ଆଧାର କାର୍ଡ ଆବଶ୍ୟକ ପଡ଼ୁଛି ।

ଆଧାର କାର୍ଡ ସହ ମୋବାଇଲ ଫୋନ ଲିଙ୍କ ବାଧ୍ୟତାମୂଳକ କରାଯାଇଥିଲା । ହେଲେ ତାଙ୍କର ମୋବାଇଲ ଫୋନ ନଥିବାରୁ ସେ ଅଦ୍ୟାବଧି କୌଣସି କମ୍ପ୍ୟୁଟର କେନ୍ଦ୍ରରୁ ଆଧାର କାର୍ଡ ବାହାର କରି ପାରୁନାହାନ୍ତି । ଆଧାର ଓ ବ୍ୟାଙ୍କ ଆକାଉଣ୍ଟ ନଥିବାରୁ ସେ ଓ ତାଙ୍କ ପରିବାର ସଦସ୍ୟ ସ୍ବାସ୍ଥ୍ୟ, ଶିକ୍ଷା, ରାଶନ ସାମଗ୍ରୀ, ପୁଷ୍ଟିକର ଆହାର ଆଦିରୁ ବଞ୍ଚିତ ହୋଇଛନ୍ତି। । ଫଳରେ କେବଳ ଜ୍ୱାଇଁଙ୍କ ରୋଜଗାରରେ ଏତେବଡ଼ ପରିବାର ଚଳିବା କାଠିକର ପାଠ ହୋଇପଡ଼ିଛି । ଠିକ୍ ଖାଦ୍ୟ ନ ପାଇ ଅର୍ଦ୍ଧହାରରେ କାଳାତିପାତ କରିିବାକୁ ସେମାନେ ବାଧ୍ୟ ହେଉଛନ୍ତି ବୋଲି ଝିଅ ସୂର୍ଯ୍ୟ ଅଭିଯୋଗ କରିଛନ୍ତି। ଆଧାର କାର୍ଡ ବିନା ରାସନ କାର୍ଡ ହୋଇ ପାରୁ ନ ଥିବାରୁ ଖାଦ୍ୟ ସୁରକ୍ଷା ଯୋଜନାରେ ସେମାନଙ୍କୁ ସାମିଲ କରାଯାଇ ପାରୁନାହିଁ ବୋଲି ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ କୁମାର ପ୍ରଧାନ ପ୍ରକାଶ କରିଛନ୍ତି ।
ଅପରପକ୍ଷେ ଡୁବୁଲା ଦୀର୍ଘ ଦିନ ଧରି ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇ ନପାରି ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସେ ଏବେ କିଛି ଖାଦ୍ୟ ଖାଇପାରୁ ନ ଥିବା ବେଳେ କେବଳ ଫଳ ରସ ଓ ପାଣି ପିଉଛନ୍ତି । ଶିଶୁ ଓ କିଶୋରୀଙ୍କୁ ଅଙ୍ଗନୱାଡ଼ି ପକ୍ଷରୁ ମିଳୁଥିବା ପୁଷ୍ଟିକର ଖାଦ୍ୟ ସେମାନଙ୍କ ପାଇଁ ସାତ ସପନ ପାଲଟିଛି। ଆଧାର କାର୍ଡ ନ ଥିବାରୁ ତାଙ୍କ ପରିବାରକୁ କୌଣସି ସରକାରୀ ସୁବିଧା ଦିଆଯାଇପାରୁନି ବୋଲି ସ୍ଥାନୀୟ ଅଙ୍ଗନୱାଡି କର୍ମୀ ସଂଯୁକ୍ତା ପଣ୍ଡା କହିଛନ୍ତି ।ଏ ସମ୍ପର୍କରେ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସ୍ପେଶାଲ ଟିବି. ସୁପରଭାଇଜର (ଏସ୍ଟିଏସ୍)
ଶୁଭଶ୍ରୀ ମହାନ୍ତି କହିଛନ୍ତି ଯେ, ଗତ ୨୦୨୩ ଜାନୁଆରୀ ୨ରୁ ଡୁବୁଲା ଯକ୍ଷ୍ମା ଔଷଧ ଖାଉଥିଲେ । ମାତ୍ର ଏବେ ପୁଣି ସେ ରୋଗାକ୍ରାନ୍ତ ଓ ଶଯ୍ୟାଶାୟୀ ବୋଲି ସ୍ବାସ୍ଥ୍ୟକେନ୍ଦ୍ର ପାଖରେ କୌଣସି ଖବର ନାହିଁ। ଏବିଷୟରେ ତଦନ୍ତ କରି ଡୁବୁଲାଙ୍କ ପାଇଁ ପଦକ୍ଷେପ ନିଆଯିବ ବୋଲି ମହାନ୍ତି କହିଥିଲେ । ତେବେ ସାମ୍ବାଦିକ ମାନଙ୍କ ଠାରୁ ସେ ୨୪ ତାରିଖରେ ଡୁବୁଲାଙ୍କ ବିଷୟରେ ଜାଣିବା ପରେ କଫର ନମୁନା ସଂଗ୍ରହ ପାଇଁ କର୍ମଚାରୀଙ୍କୁ ପଠାଇଥିଲେ। ଅବସ୍ଥା ଗୁରୁତର ଥିବାରୁ କଫର ନମୁନା ସଂଗ୍ରହ ହୋଇପାରି ନଥିଲା । ଏନେଇ ସ୍ବାସ୍ଥ୍ୟ କର୍ମୀମାନେ ଡୁବୁଲାଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ୧୦୮ ଆମ୍ବୁଲାନ୍ସ ଯୋଗେ ନେଇଥିଲେ । ସେଠାରେ ତାଙ୍କର ଚିକିତ୍ସା ସମ୍ଭବ ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଯାଇଥିଲା । ଜ୍ୱାଇଁ ତାଙ୍କ ସହ ଆମ୍ବୁଲାନ୍ସରେ ଯାଇଥିଲେ ।
ଆମ୍ବୁଲାନ୍ସ କର୍ମଚାରୀମାନେ ସେଠାରେ ତାଙ୍କୁ ଛାଡ଼ିକି ଆସିବା ପରେ କିଛି ଚିକିତ୍ସା ସେବା ନ ମିଳିବାରୁ ସେମାନେ ବାଧ୍ୟ ହୋଇ ପୁଣି ରାତି ଅଧରେ ୧୫୦୦ ଟଙ୍କା ଅଟୋ ଭଡ଼ା କରି ଘରକୁ ଫେରିଥିବା ଜ୍ୱାଇଁ କହିଛନ୍ତି । ଏ ସମ୍ପର୍କରେ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଖବର ନ ଥିବା ବେଳେ ଶୁକ୍ରବାର ପୁଣି ସାମ୍ବାଦିକ ମାନେ ଚିକିତ୍ସା ବିଷୟରେ ପଚାରିବାରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସ୍ବାସ୍ଥ୍ୟ କର୍ମୀମାନେ ପୁନର୍ବାର ଡୁବୁଲାଙ୍କୁ ମାହାଙ୍ଗା ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ବୋଲି ଟିବି. ସୁପରଭାଇଜର ଶ୍ରୀମତୀ ମହାନ୍ତି କହିଛନ୍ତି। ଏ ସମ୍ପର୍କରେ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡା.ତନୁସ୍ମିତା ବିନ୍ଧାଣୀଙ୍କ ମତାମତ ପାଇଁ ମୋବାଇଲ୍ ଫୋନ୍ରେ କଲ୍ କରାଯାଇଥିଲେ ମଧ୍ୟ ସେ ଉଠାଇ ନଥିଲେ। ତେବେ ରାଜ୍ୟ ସରକାର ଏଭଳି ଏକ ଦୁଃଖି ପରିବାର ପ୍ରତି ସଦୟ ହେବାକୁ ସାଧାରଣରେ ଦାବି ଜୋର୍ ଧରିଛି।