ଢେଙ୍କାନାଳ : ଢେ଼ଙ୍କାନାଳ ଜିଲ୍ଲାରେ ମୌସୁମୀ ବର୍ଷାର ମୁକାବିଲା ପାଇଁ ବିଭିନ୍ନ ବିଭାଗ ତତ୍ପର ହୋଇ ଉଠିଥିବାବେଳେ ଢେ଼ଙ୍କାନାଳ ଜିଲ୍ଲା ଭାପୁର ଛଦେଶ ଅଞ୍ଚଳ ଓ ସହରାଞ୍ଚଳର ଖାଦ୍ୟ ପଦାର୍ଥ ଯାଞ୍ଚ କଡାକଡି ହୋଇପାରୁ ନାହିଁ । ବର୍ଷାଦିନେ ଖାଦ୍ୟ ଜରିଆରେ ବିଭିନ୍ନ ରୋଗ ବ୍ୟାପିବାର ସମ୍ଭାବନା ଥିବାବେଳେ ଯାଞ୍ଚ ଅଧିକାରୀମାନଙ୍କର ସ୍ଥାଣୁତା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଶେଷକରି ଭାପୁର ଛଦେଶ ଅଞ୍ଚଳ ଏବଂ ଜିଲ୍ଲାର ସହରାଞ୍ଚଳର ରାସ୍ତାପାର୍ଶ୍ଵରେ ମାଂସ,ମାଛ ଠାରୁ ଆରମ୍ଭକରି ହୋଟେଲ ବିଭିନ୍ନ ପ୍ରକାରର ଚଟ୍ପଟି ଖାଦ୍ୟ ପସରା ବସୁଛି । ବର୍ଷାଦିନେ ଏହିସବୁ ସ୍ଥାନରେ କାଦୁଅ ପଚପଚ ସହିତ ଡ୍ରେନ,ନର୍ଦ୍ଦମା ପାଣି ବି ଭାସୁଛି । ତାହା ଉପରେ ଖାଦ୍ୟ ସାମଗ୍ରୀ ଖୋଲାଖୋଲି ଭାବେ ବିକ୍ରି ହେଉଥିବାବେଳେ ଲୋକେ ତାହାକୁ ଖାଇବାରେ ଲାଗିଛନ୍ତି ।
ସେହିଭଳି ଖାଦ୍ୟ ଦୋକାନମାନଙ୍କରେ ଦିଆ ଯାଉଥିବା ପାନୀୟ ଜଳର ଶୁଦ୍ଧତା ନେଇ ବି ପ୍ରଶ୍ନବାଚୀ ଉଠୁଛି। ଉଠାଦୋକାନୀମାନେ ଖୋଲା ବୋତଲରେ ଲୋକଙ୍କୁ ପାଣି ଯୋଗାଉଛନ୍ତି । ଏହିସବୁ ପାଣି ବିଭିନ୍ନ କମ୍ପାନୀ,ବସ୍ତି ଅଞ୍ଚଳରୁ ଆସୁଥିବାରୁ ତାହାର ଗୁଣବର୍ତ୍ତା ଯାଞ୍ଚ ଜରୁରୀ ହୋଇ ପଡିଛି । ଏଠାରେ ଖାଦ୍ୟ ପ୍ରସ୍ତୁତି ସହିତ ଏହିସବୁ ଖାଦ୍ୟକୁ ସେବନ କରୁଥିବା ଲୋକେ ପେଟରୋଗରେ ପଡିବା ଏକ ପ୍ରକାର ନିଶ୍ଚିତ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାଇ ଦେଉଛନ୍ତି। ତେବେ ଖାଦ୍ୟ ସାମଗ୍ରୀ ଯାଞ୍ଚ ପାଇଁ ଅଧିକାରୀ ଥିବାବେଳେ ଖାଦ୍ୟ କାଁ ଭାଁ ଯାଞ୍ଚ କରିଥାନ୍ତି। ବିଶେଷକରି ଯଦି କେଉଁଠାରେ ଖାଦ୍ୟ ପାଇଁ ରୋଗ ବ୍ୟାପିବାର ଖବର ଆସେ ସେଠାରେ ଚଢଉ କରିଥାନ୍ତି ।
ଏହାପରେ ଯଥା ପୂର୍ବଂ ତଥା ପରଂ ସ୍ଥିତିରେ। ହୋଟେଲ ମାନଙ୍କରେ ନିମ୍ନ ମାନର ଖାଦ୍ୟା,ବିଭିନ୍ନ ପ୍ରକାରର ମିଠା,ଅଧିକ ରଙ୍ଗ ମିଶା ତରକାରୀ,ଚାର୍ଟ,ପୋଡ଼ା ତେଲ,ମସଲା ଏବଂ ବାସୀ ଖାଦ୍ୟା ଏହାର ଯାଞ୍ଚ କରିବାର ଦାୟିତ୍ଵ ଖାଦ୍ୟ ଅଧିକାରୀମାନଙ୍କର ଥିବାବେଳେ ସେମାନେ କେବଳ ଧର୍ମକୁ ଆଖିଠାର ମାରିବା ଭଳି କାଁ ଭାଁ ଯାଞ୍ଚ କରିଥାନ୍ତି । ସାମାନ୍ୟ ବର୍ଷାରେ ଛକ,ବଜାର,ସହରର କେତେକ ଅଞ୍ଚଳ ଜଳବନ୍ଦୀ ହେଉଥିବାବେଳେ ସେହିସବୁ ଅଞ୍ଚଳରେ ଖୋଲାମେଲାରେ ବିକ୍ରି ହେଉଥିବା ଖାଦ୍ୟ ଜରିଆରେ ସଂକ୍ରାମିକ ରୋଗ ବ୍ୟାପିବାର ସମ୍ଭାବନା ଥିବାରୁ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଏହା ଉପରେ ନଜର ରଖିବାକୁ ମତପ୍ରକାଶ ପାଉଛି ।
ଏଥିପ୍ରତି ଦୃଷ୍ଟି ନଦେଲେ ଭାପୁର ଛଦେଶ ଅଞ୍ଚଳ ସମେତ ସହରରେ ପେଟରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ଲୋକେ ଅନ୍ୟାନ୍ୟ ମାରାତ୍ମକ ରୋଗରେ ବି ପଡିପାରନ୍ତି ବୋଲି ଚିକିତ୍ସକମାନେ ମତ ଦେଉଛନ୍ତି ।