କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବଡସୁଆଁଳ ପଞ୍ଚାୟତ ରାମିଆଳ ନଦୀ ଗର୍ଭରେ ପ୍ରାୟ ବହୁ ବର୍ଷ ପୂର୍ବେ ଗଙ୍ଗବଶୀୟ ରାଜା କପଳେନ୍ଦ୍ର ନିଜର ପୂଜାକୁ ସାଧନ କରିବା ପାଇଁ ଏହି ମନ୍ଦିର ନିର୍ମାଣ କରିଥିଲେ । କପିଳେଶ୍ଵରଙ୍କ ମହାଦେବଙ୍କ ମନ୍ଦିରରେ ରହିଛି ଅନେକ କିମ୍ବଦନ୍ତୀ । ବିଶେଷତଃ ଅଞ୍ଚଳବାସୀଙ୍କ ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ କପିଳେଶ୍ୱର ମହାଦେବ । ଦ୍ବାଦଶ ଶତାବ୍ଦୀରେ ନିର୍ମିତ ହୋଇଥିବା ଏବେ ନଦୀ ଗର୍ଭରେ ଏବଂ ମନ୍ଦିରର ଉଭୟ ପାର୍ଶ୍ଵରେ ଜଳ ରାଶି ପ୍ରବାହିତ ହେଉଛି । ରାଜା କପିଳେନ୍ଦ୍ରଙ୍କ ନାମ ଅନୁସାରେ ପ୍ରଭୁଙ୍କ ନାମ କପିଳେଶ୍ଵର । କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ଏହି ମନ୍ଦିର ମୁଖଦ୍ଵାର ପୂର୍ବ ଦିଗକୁ ରହିଛି । କପିଳେଶ୍ବର ମନ୍ଦିରକୁ ଭୁବନେଶ୍ଵର ଲିଙ୍ଗରାଜ ମନ୍ଦିରର ଅବିକଳ ନକଲ ବୋଲି ବିବେଚନା କରାଯାଏ ।
ବଡସୁଆଁଳ ଗ୍ରାମବାସୀଙ୍କ ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ କପିଳେଶ୍ୱର। ଗ୍ରାମବାସୀ କୌଣସି ଅସୁବିଧାରେ ପଡ଼ିଲେ ପ୍ରଭୁଙ୍କ ଶରଣାପନ୍ନ ହୁଅନ୍ତି। ଅନ୍ଧଙ୍କୁ ଚକ୍ଷୁ ଓ ନିସନ୍ତାନ ମହିଳାମାନେ ମାନସିକ ରଖିଲେ ସନ୍ତାନ ପ୍ରାପ୍ତି ହୁଅନ୍ତି ବୋଲି ନଜିର ରହିଛି। ବର୍ଷା ହେଉ ନଥିଲେ ଲୋକମାନେ ଏକତ୍ରିତ ହୋଇ ପାଣି ବୋହି ଶିବଲିଙ୍ଗକୁ ବୁଡାଇ ଦେଇଥିଲେ ପରେ ବର୍ଷା ହୋଇଥିଲା। ସେହି ଦିନଠାରୁ ବାବାଙ୍କ ପ୍ରତି ଭାବଭକ୍ତି ବିଶ୍ଵାସ ବଢ଼ି ଚାଲିଛି । ପୀଠରେ ବାରମାସରେ ତେର ପର୍ବ ପାଳନ କରାଯାଏ । କIର୍ତ୍ତିକ ପୂର୍ଣିମା,ଜାଗରଯାତ୍ରା ଓ ଶ୍ରାବଣ ମାସର ପ୍ରତି ସୋମବାରରେ ଭକ୍ତଙ୍କ ଭିଡ ଜମେ । ଢେଙ୍କାନାଳ କାମାକ୍ଷାନଗର ଭୁବନ ଗସ୍ତାରେ ୧୦ କିଲୋମିଟର ଯିବା ପରେ ପଡ଼େ ବଡ଼ସୁଆଁଳ ଗାଁ । ସେଠାରୁ ୨ କିଲୋମିଟର ଗଲେ ପଡ଼େ ରାମିଆଳ ନଦୀ କୂଳରେ ରହିଛି ବାବା କପିଳେଶ୍ଵରଙ୍କ ମନ୍ଦିର ।