ବାଜି ରାଉତ ଦେଶପ୍ରେମ ଓ ବଳିଦାନର ଅମର ପ୍ରତୀକ – ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ
ସେୟାର କରନ୍ତୁ

ଢେଙ୍କାନାଳ/ଭୁବନ, ଅଗଷ୍ଟ ୧୪, ୨୦୨୬ – ବୀର ବାଜି ରାଉତ ହେଉଛନ୍ତି ଯୁବକତ୍ୱ, ତ୍ୟାଗ, ସାହସ, ଦେଶପ୍ରେମ ଓ ବଳିଦାନର ଅମର ପ୍ରତୀକ । ଖେଳକୁଦ ବୟସରେ ଦେଶ ମାତୃକା ପାଇଁ ସେ ଯେଉଁଭଳି ନିର୍ଭୀକତାର ସହ ବଳିଦାନ ଦେଇଥିଲେ, ତାହା ଆଜିର ନୂଆପିଢ଼ି ପାଇଁ ବୀରତ୍ୱର ଚରମ ନିଦର୍ଶନ ବୋଲି କହିଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଶୁକ୍ରବାର ଦେଶର ସର୍ବକନିଷ୍ଠ ବୀର ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ପବିତ୍ର ଜନ୍ମସ୍ଥାନ ଢେଙ୍କାନାଳ ଜିଲ୍ଲା ଭୁବନ ନୀଳକଣ୍ଠପୁରରେ ଆୟୋଜିତ ‘ତ୍ରିରଙ୍ଗା ପଦଯାତ୍ରା ସମାରୋହ’ରେ ସାମିଲ ହୋଇଥିଲେ । ଏଠାରେ ‘ଶହୀଦ ବାଜି ରାଉତ ସ୍ମୃତି ସ୍ତମ୍ଭ’ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦେଶ ପ୍ରତି ବୀର ବାଜି ରାଉତଙ୍କ ଅବଦାନ ଅତୁଳନୀୟ । ଖେଳକୁଦ ବୟସରେ ମାତୃଭୂମିର ସ୍ୱାଭିମାନ ରକ୍ଷା ପାଇଁ ସେ ଇଂରେଜମାନଙ୍କ ଠାରୁ ଗୁଳି ଖାଇବାକୁ ଶ୍ରେୟସ୍କର ମଣିଥିଲେ । ତାଙ୍କର ଜନ୍ମସ୍ଥାନକୁ ଏକ ସାଧାରଣ ଭୌତିକ ସ୍ମରଣିକାରେ ସୀମିତ ନରଖି, ଏହାକୁ ଶତାବ୍ଦୀ ଶତାବ୍ଦୀ ଧରି ପ୍ରେରଣା ଯୋଗାଉଥିବା ଏକ ଅନନ୍ୟ “ପ୍ରେରଣାର କେନ୍ଦ୍ର” ଭାବେ ଗଢ଼ିତୋଳାଯିବ ।

ଏହି ସଂଗ୍ରାମୀ ମାଟିର ପରମ୍ପରାକୁ ସ୍ମରଣ କରି ସେ କହିଛନ୍ତି ଯେ, ବିପ୍ଳବୀ ସାରଙ୍ଗଧର ଦାସ, ବୀର ବୈଷ୍ଣବ ଚରଣ ପଟ୍ଟନାୟକ, ମୂଷା ମଲ୍ଲିକ, ମହେଶ ଚନ୍ଦ୍ର ସୁବାହୁ ସିଂହ, ପବିତ୍ର ମୋହନ ପ୍ରଧାନଙ୍କ ଭଳି ମହାନୁଭବଙ୍କ ଅତୁଳନୀୟ ତ୍ୟାଗ ବଳରେ ଇଂରେଜ ଶାସନ ବିରୋଧରେ ଏହି ଅଞ୍ଚଳ ସ୍ୱାଧୀନତା ସଂଗ୍ରାମର ପ୍ରମୁଖ କେନ୍ଦ୍ର ପାଲଟିଥିଲା। ସେତେବେଳେ ଦେଶ ପାଇଁ ବଳିଦାନ ଦେବାର ଆବଶ୍ୟକତା ଥିଲା, ମାତ୍ର ଆଜି ଦେଶ ପାଇଁ ବଞ୍ଚିବାର ଆବଶ୍ୟକତା ରହିଛି। ଟେକ୍ନୋଲୋଜିର ଉପଯୋଗ କରି ଲୋକଙ୍କ ଜୀବନଶୈଳୀ ବଦଳାଇବା ସହ ଆମ ଯୁବପିଢ଼ି ନିଶାରୁ ଦୂରେଇ, ସ୍ୱାବଲମ୍ବୀ, ଆତ୍ମବିଶ୍ୱାସୀ, କୁଶଳୀ, ବୈଜ୍ଞାନିକ ଓ ଚିକିତ୍ସକ ହୁଅନ୍ତୁ । ଏହି ଅଞ୍ଚଳର ଉତ୍ପାଦିତ ସାମଗ୍ରୀକୁ ଗ୍ଲୋବାଲ ସପ୍ଲାଏ ଚେନ୍‌ରେ ଯୋଡ଼ିପାରିଲେ ହିଁ ଏହି ମହାନ ବୀର ସଂଗ୍ରାମୀମାନଙ୍କ ପ୍ରତି ସଠିକ୍‌ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଛନ୍ତି।

ଢେଙ୍କାନାଳ ହେଉଛି ସଂସ୍କୃତି, ଆଧ୍ୟାତ୍ମିକତା, ମହିମା ବିଚାରର ଭୂମି । ୨୦୪୭ରେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ । ତେଣୁ ବର୍ତ୍ତମାନ ସମୟରୁ ‘ବିକଶିତ ଢେଙ୍କାନାଳ’ ଓ ‘ବିକଶିତ ଓଡ଼ିଶା’ ଗଠନ କରିବା ପାଇଁ ସମସ୍ତଙ୍କୁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି।

ଏହି ‘ତ୍ରିରଙ୍ଗା ପଦଯାତ୍ରା’ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ରନାରାୟଣ ପାଣି, ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି, ବହୁମାନ୍ୟଗଣ୍ୟ ବ୍ୟକ୍ତି, ଯୁବସାଥୀ ଓ ଜନସାଧାରଣ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ।


ସେୟାର କରନ୍ତୁ