ଶିଳାନ୍ୟାସର ୫ ବର୍ଷ ପରେ ବି ଅଧାପନ୍ତରିଆ ପଡ଼ିଛି ଶିକ୍ଷକ ଭବନ, ଶିକ୍ଷକ ମହଲରେ ଅସନ୍ତୋଷ

ରାଜ୍ୟ
ସେୟାର କରନ୍ତୁ

ଢେଙ୍କାନାଳ : ଗଁଦିଆ ବ୍ଲକରେ ଶିକ୍ଷକମାନଙ୍କ ପାଇଁ ଏକ ଶିକ୍ଷକ ଭବନ ନିର୍ମାଣ ନିମନ୍ତେ ଆର୍ଥିକ ଅନୁଦାନ ଆସିଥିଲା । ଶ୍ରୀରାମଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟ ପରିସର ଭିତରେ ୨୦୧୮-୧୯ ଆର୍ଥିକ ବର୍ଷରେ ଢେଙ୍କାନାଳର ମାନ୍ୟବର ପୂର୍ବତନ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସରୋଜ କୁମାର ସାମଲଙ୍କର କରକମଳରେ ଏହାର ଶିଳାନ୍ୟାସ କରାଯାଇ କାର୍ଯ୍ୟ ଆରମ୍ଭ ହୋଇଥିଲା । ସେତେବେଳେ ଖୁବ୍ ଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ କରାଯିବ ବୋଲି ପୂର୍ବତନ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ ।

ମାତ୍ର ଦୁଃଖର ବିଷୟ, ଶିକ୍ଷକ ଭବନ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ଦୀର୍ଘ ପାଞ୍ଚ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିଲାନାହିଁ ଏବଂ ତାହା ଏବେସୁଦ୍ଧା ଅଧାପନ୍ତରିଆ ଭାବରେ ପଡ଼ିରହିଛି । ଉକ୍ତ ଅର୍ଦ୍ଧ ନିର୍ମିତ ଭବନ ଏକ ପ୍ରକାର ବୁଦୁ ବୁଦୁକିଆ ଗଛର ସମାହାରରେ ଏକ ଛୋଟିଆ ଜଙ୍ଗଲରେ ପରିଣତି ହୋଇଛି ଯାହାକୁ ଦେଖିଲେ ସାଧାରଣ ଜନତାର କ୍ରୋଧ ଆପେ ଆପେ ବାହାରି ଆସୁଛି ସମାଜ ଗଠନ କ୍ଷେତ୍ରରେ ଯେଉଁ ଶିକ୍ଷକ ମାନଙ୍କର ଭୂମିକା ଅତ୍ୟନ୍ତ ଏପରିହାର୍ଯ୍ୟ ସେମାନଙ୍କର ବହୁ ଦିନର ସ୍ବପ୍ନ ଆଜି ଅବହେଳିତ ଅବସ୍ଥାରେ ରହିଛି ଏହାକୁ ନେଇ ସ୍ଥାନୀୟ ଶିକ୍ଷକ ମହଲରେ ଗଭୀର ଅସନ୍ତୋଷ ଦେଖାଦେଇଛି ।

ତତ ସହିତ ସ୍ଥାନୀୟ ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳୁଛି l ତେଣୁ ଢେଙ୍କାନାଳ ବିଧାୟକ, ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଢେଙ୍କାନାଳ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଅଧାପଡ଼ିଥିବା ନିର୍ମାଣ କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ଶିକ୍ଷକ ସଂଘ ଓ ସାଧାରଣ ଜନସାଧାରଣଙ୍କ ତରଫରୁ ଜୋରଦାର ଦାବି କରାଯାଉଛି ।


ସେୟାର କରନ୍ତୁ