ପରଜଙ୍ଗ : ଦୀର୍ଘଦିନର ଦାବି ପରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ବିଶାନାଳି ଓ କୁଣ୍ଢେଇଖୋଲ ଅଞ୍ଚଳବାସୀଙ୍କ ପାଇଁ ଆସିଛି ଖୁସି ଖବର । ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ମଜଭୁତ୍ କରିବା ଲକ୍ଷ୍ୟରେ ୨ଟି ରାସ୍ତା ନିର୍ମାଣର ଭିଭିପ୍ରସ୍ତର ସ୍ଥାପନ । ଢେଙ୍କାନାଳ ଏମ୍ପି ଗୁଦ୍ରନାରାୟଣ ପାଣି ଓ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନଙ୍କ ଉପସ୍ଥିତିରେ ଏହି ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ କରାଯାଇଛି ।
ସୂଚନା ଅନୁଯାୟୀ, ଆଖୁଆପାଳ ପଞ୍ଚାୟତ ବିଶାନାଳି ଗ୍ରାମବାସୀଙ୍କ ବହୁଦିନର ଦାବିକୁ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଜାତୀୟ ରାଜପଥ– ୧୪୯ର ହନୁମାନ ଛକରୁ ବିଶାନାଳି ପର୍ଯ୍ୟନ୍ତ ପ୍ରାୟ ୭୦୦ ମିଟର ରାସ୍ତା ନିର୍ମାଣ ପାଇଁ ୬୩ ଲକ୍ଷ ୮୦ ହଜାର ଟଙ୍କା ଅନୁମୋଦନ ମିଳିଛି । ସେହିପରି କୁଣ୍ଢେଇଖୋଲ-ତାଳବୁରୀ ମଧ୍ୟରେ ୯୦୦ ମିଟର ରାସ୍ତା ନିର୍ମାଣ ପାଇଁ ୯୩ ଲକ୍ଷ ୨୦ ହଜାର ଟଙ୍କା ଅନୁଦାନ ମଞ୍ଜୁର ହୋଇଛି।
ଏହି ରାସ୍ତା ନିର୍ମାଣ ହେଲେ ବିଶାନାଳି ସମେତ ଆଖପାଖ ଅଞ୍ଚଳର ଲୋକେ ଜାତୀୟ ରାଜପଥ ସହ ସୁଗମ ଯୋଗାଯୋଗ ପାଇପାରିବେ । ଛାତ୍ରୀଛାତ୍ରଙ୍କ ଯାତାୟାତ, ଚାଷୀଙ୍କ କୃଷିଜାତ ସାମଗ୍ରୀ ପରିବହନ ଓ ଦୈନନ୍ଦିନ ଯାତାୟାତରେ ଏହା ବେଶ ସହାୟକ ହେବ ବୋଲି ଆଶା କରାଯାଉଛି। କଣ୍ଢେଇଖୋଲ – ତାଳବୁରୀ ରାସ୍ତା ମଧ୍ୟ ଦୀର୍ଘଦିନର ଦାବି ପୂରଣ କରିବା ସହ ଅଞ୍ଚଳର ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବ ।
ଏହି କାର୍ଯ୍ୟକ୍ରମରେ ପରଜଙ୍ଗ ବ୍ଲକ ଉପାଧ୍ଯକ୍ଷା ଯଶସ୍ବିନୀ ରାଉତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ସାହୁ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଶିବଜ୍ୟୋତି ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କଲଦା, ଆଖୁଆପାଳ ସରପଞ୍ଚଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧି, ଠିକାଦାର ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।