ଢେ଼ଙ୍କାନାଳ : ଢେଙ୍କାନାଳ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆାଇନ୍ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ ବେଳେ ପୋଲିସ ପେଟ୍ରୋଲ ବୋତଲ ଓ ଦିଆସିଲ ଛଡ଼ାଇ ନେଇ ଉଦ୍ୟମକୁ ପଣ୍ଡ କରିଦେଇଥିବା ଜଣାପଡିଛି ।
ସୂଚନା ମୁତାବକ ସଦର ଥାନା ଭାପୁର ଫାଣ୍ଡି ରାଣିପାଳ ଗ୍ରାମରେ ଜମିବାଡିକୁ କେନ୍ଦ୍ରକରି ଗ୍ରାମର ପଦ୍ମନାଭ ରାଉତଙ୍କ ପରିବାରକୁ ତାଙ୍କ ଭାଇଙ୍କ ପରିବାର ସଦସ୍ୟ ବିଭିନ୍ନ ସମୟରେ ହାରସ କରିବା ଯୋଗୁଁ ପଦ୍ମନାଭଙ୍କ ପରିବାର ହଇରାଣ ହୋଇ ଭାଙ୍ଗିପଡିଛନ୍ତି । ଏପରିକି ମିଛ କେସରେ ପୋଲିସ ମଧ୍ୟ କିଛି ନଶୁଣି ହଇରାଣ କରୁଥିଲେ ବୋଲି ଅଭିଯୋଗ କରିଛନ୍ତି । ଏହାକୁ ନେଇ ପଦ୍ମନାଭଙ୍କ ପରିବାର ଚାପ ଏବଂ ସମସ୍ୟା ଭିତରେ ରହିଥିଲେ ।
ପୋଲିସଠାରୁ ଉଚିତ ନ୍ୟାୟ ନ ପାଇବାରୁ ଶେଷରେ ଆଜି ଏସପିଙ୍କ କାର୍ଯ୍ୟାଳୟରେ ସମୁଖରେ ପଦ୍ମନାଭ ଏବଂ ତାଙ୍କ ପୁଅ ଆଇନ୍ ଛାତ୍ର ସରୋଜ କୁମାର ରାଉତ ପେଟ୍ରୋଲ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ ପରିବାର ସଦସ୍ୟଙ୍କ ଉପସ୍ଥିତିରେ କରୁଥିବା ବେଳେ ପୋଲିସ ପେଟ୍ରୋଲ ବୋତଲ ଓ ଦିଆସିଲ ଛଡାଇ ନେଇ ବାପା ଓ ପୁଅକୁ କାବୁ କରିଥିଲେ । ସେମାନଙ୍କ ଉପରେ ପାଣି ଢାଳିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛନ୍ତି । ଘଟଣାକୁ ନେଇ ପୋଲିସ ତଦନ୍ତ ଚଳାଇଛି ।