ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ର ୧୨ ନମ୍ବର ୱାର୍ଡରେ ଗ୍ୟାସ୍ ଟାଙ୍କିରୁ ହଠାତ୍ ନିଆଁ ଲାଗି ଆତଙ୍କ ସୃଷ୍ଟି ହୋଇଥିଲା । ତେବେ ଘରର ଜଣେ ମହିଳାଙ୍କ ଉପସ୍ଥିତ ବୁଦ୍ଧି ଓ ସାହିବାସୀନ୍ଦାଙ୍କ ସାହସିକତା ଯୋଗୁଁ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଛି ।
ସୂଚନା ଅନୁଯାୟୀ, ୧୨ ନମ୍ବର ୱାର୍ଡର ଅନିରୁଦ୍ଧ ସାହୁଙ୍କ ଘରେ ଗ୍ୟାସ୍ ଟାଙ୍କିରୁ ହଠାତ୍ ନିଆଁ ଲାଗିଥିଲା । ନିଆଁ ଲାଗିବା ଦେଖି ପରିବାର ଲୋକେ ଭୟଭୀତ ହୋଇପଡ଼ିଥିବା ବେଳେ ଅନିରୁଦ୍ଧଙ୍କ ମା’ସରସ୍ଵତୀ ସାହୁ ପରିସ୍ଥିତିର ଗମ୍ଭୀରତାକୁ ବୁଝି ତୁରନ୍ତ ଉପସ୍ଥିତ ବୁଦ୍ଧି ଖଟାଇଥିଲେ । ସେ ଜଳନ୍ତା ଗ୍ୟାସ୍ ଟାଙ୍କିଟିକୁ ଘର ବାହାରକୁ ଫିଙ୍ଗି ଦେଇଥିଲେ ।
ଏହାପରେ ନିଆଁକୁ ଆୟତ୍ତ କରିବା ପାଇଁ ସାହିବାସୀମାନେ ମଧ୍ୟ ସାହସର ସହ ଆଗେଇ ଆସି ଟାଙ୍କି ଉପରେ ବାଲି ପକାଇଥିଲେ । ଖବର ପାଇ ଭୁବନ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ସମ୍ପୂର୍ଣ ଭାବେ ଆୟତ୍ତ କରିଥିଲା । ସରସ୍ଵତୀ ସାହୁଙ୍କ ତତ୍ପରତା ଏବଂ ସାହିବାସୀଙ୍କ ସାହସ ଯୋଗୁଁ ନିଆଁ ଘର ଭିତରେ ବ୍ୟାପିବା ସହ ଏକ ବଡ଼ ଅଘଟଣ ଘଟିବାରୁ ପରିବାର ଅଳ୍ପକେ ବର୍ତ୍ତିଯାଇଥିବା କୁହାଯାଇଛି । ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ କିଛି ସମୟ ପାଇଁ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।