ପ୍ରାଣକୃଷ୍ଣଙ୍କ ପ୍ରାଣ ବଞ୍ଚିଲା…….ସାବାସ ଓଡ୍ରାଫ ଓ ଅଗ୍ନିଶମ ବିଭାଗ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଅଢ଼େଇ ଫୁଟ ଓସାର ପାଇପ ଲାଇନରେ ଫଶିରହିଥିଲେ । ପ୍ରାଣ ଯାଉଥିଲା ଆସୁଥିଲା । ଖବର ପାଇ ଓଡ୍ରାଫ ଟିମ, ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଛାଲିଲା ଅକ୍ଳାନ୍ତ ପରିଶ୍ରମ । ୬ ଘଣ୍ଟାର ଅପରେସନ ପରେ ସମସ୍ତଙ୍କ ପାଟିରେ ଗୋଟିଏ କଥା ଶୁଣିବାକୁ ମିଳିଥିଲା । କ’ଣ ନା ପ୍ରାଣକୃଷ୍ଣଙ୍କ ପ୍ରାଣ ବଞ୍ଚିଗଲା । ଏମିତି ଏକ ଘଟଣା ଘଟିଛି କଟକରେ ଯାହା ପୁରା ଇଲାକାରେ ଚର୍ଚ୍ଚାର ବିଷୟ ପାଲଟିଛି । ସମସ୍ତେ ଓଡ୍ରାଫ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସାବାସୀ ଜଣାଇଛନ୍ତି । ଖାଲି ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦୁଇ ବିଭାଗର କର୍ମଚାରୀଙ୍କୁ ସୁନା ପୁଲା କହି ଭାରି ପ୍ରଶଂସା କରିଛନ୍ତି ।

ସୂଚନାଥାଉକି, କଟକର ଲୋୟର ପୁଲିସ କଲୋନୀସ୍ଥିତ ପମ୍ପିଂ ଷ୍ଟେସନ ପାଇପ ସଫା କାମ ଆଜି ଅପରାହ୍ନରେ ଚାଲିଥିଲା । ୫୦ ବର୍ଷର ପ୍ରାଣକୃଷ୍ଣ ମୁଦୁଲି ନାମକ ଜଣେ ଶ୍ରମିକ ପାଇପ ସଫା କାର୍ଯ୍ୟରେ ନିୟୋଜିତ ଥିବା ଶୁଣିବାକୁ ମିଳିଛି । ତେବେ ସେ ପାଇପ ଭିତରେ କେମିତି ଫସିଲେ ତାହା ଜଣାପଡି ନାହିଁ । ହେଲେ କାମ ଚାଲିଥିବା ବେଳେ କୌଣସି କାରଣରୁ ସେ ଫସିଯାଇଥିବା ଅନୁମାନ କରାଯାଉଛି । ସେଠାରୁ ତାଙ୍କୁ ଉଦ୍ଧାର କରିବା ପାଇଁ ସଙ୍ଗେ ସଙ୍ଗେ ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭାଗକୁ ଡକାଯାଇଥିଲା । ଦୁଇ ବିଭାଗର କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦଉଡ଼ି ସାହାଯ୍ୟରେ ପ୍ରାଣକୃଷ୍ଣଙ୍କ ପ୍ରାଣ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । ତାଙ୍କୁ ଚିକିତ୍ସା ଲାଗି କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟ ସମୟରେ ଖୋଦ ଜିଲ୍ଲାପାଳ ଓ ସିଏମସି କମିଶନର ମଧ୍ୟ ଉପସ୍ଥିତ ଥିବା ଜଣାପଡିଛି ।


ସେୟାର କରନ୍ତୁ