ରାତି ଅଧିଆ ଚେକିଂ: ପାଣ୍ଡିଆନଙ୍କ ଲୋକ କହି ପଳେଇଲେ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ସବୁଦିନ ଭଳି ଠିକଠାକ ଥିଲା । ରାତି ୧୦ ବାଜିବା ମାତ୍ରେ ଛକରେ ଅଡ୍ଡା ପକାଇଲା ପୁଲିସ । ଜଗିଲା ମଦୁଆଙ୍କୁ । ଏମିତି ଅଚନକ ଚେକିଂ ଆଜି ରାଜଧାନୀର ଦୁଇଟି ସ୍ଥାନରେ ଦେଖିବାକୁ ମିଳିଥିଲା । କଳିଙ୍ଗ ହସ୍ପିଟାଲ ଛକ ଓ କଳ୍ପନା ଛକରେ ପୁଲିସ ଫୋର୍ସ ମୁତୟନ ହୋଇଥିଲେ । ଦୁଇ ଚକିଆରୁ ନେଇ ଚାରି ଚକିଆ ପର୍ଯ୍ୟନ୍ତ ଗାଡିକୁ ତନତନ କରି ଯାଞ୍ଚ କରୁଥିଲେ । ଉଦେଶ୍ୟ ଥିଲା ମଦୁଆଙ୍କୁ ସାବାଡ କରିବା । ଯେଉଁଥିରେ ଏକପ୍ରକାର ସଫଳ ହୋଇଛି କମିଶନରେଟ ପୁଲିସ ।

ନିଶା ଖାଇ ଗାଡି ଚଲାଉଥିବା ବ୍ୟକ୍ତିଙ୍କୁ ପୁଲିସ ଫାଇନ କାଟି ଉଚିତ ସବକ ଶିଖାଇଛି । କିଏ କେତେ ମଦ ପିଇଛି ତାର ଟିକନିକ ଯାଞ୍ଚ କରିବା ନେଇ ପୁରା ତୟାର ରହିଥିଲା ପୁଲିସ । ବ୍ରେଥ ଆନାଲାଇଜର ସହାୟତାରେ ପୁଲିସ ପାଖାପାଖି ୨ଶହରୁ ଅଧିକ ଲୋକଙ୍କଠୁ ଫାଇନ ଆଦାୟ କରିଥିବା ଜଣାପଡିଛି ।

ଭିବନେଶ୍ୱର ଡିସିପି ଅନୁପ ସାହୁଙ୍କ ନିର୍ଦ୍ଦେଶକ୍ରମେ ରାତିଅଧିଆ ଚେକିଂ ଆରମ୍ଭ ହୋଇଥିଲା । ପ୍ରାୟ ରାତି ସାଢ଼େ ୧୦ଟା ପରେ ଜୋନ ଏସିପିଙ୍କଠାରୁ ଆରମ୍ଭ କରି ତଳୁଆ କର୍ମଚାରୀ ଏହି ଚେକିଂରେ ନିୟୋଜିତ ଥିଲେ । କଳ୍ପନା ଛକରେ ପ୍ରତି ଗାଡିକୁ ତନତନ କରି ଯାଞ୍ଚ କରିବା ସହ ଡ୍ରାଇଭିଂ ଲାଇସେନ୍ସ ଓ ଗାଡି ଚାଳକ ଜଣଙ୍କ ମଦ୍ୟପାନ କରିଥିବା ଯାଞ୍ଚ କରିଥିଲେ ।

ଇତିମଧ୍ୟରେ ହଠାତ ଏକ ପ୍ୟାସନ ପ୍ଲସ ଗାଡି ଚଢ଼ି ଜଣେ ବ୍ୟକ୍ତି ଆସି ବ୍ଲକିଂର ସମ୍ମୁଖିନ ହୋଇଥିଲେ । ତାଙ୍କର ଦୋଷ ଏତିକି ଥିଲା ଯେ, ସେ ଅତ୍ୟଧିକ ମଦ୍ୟପାନ କରିଥିଲେ । ନିୟମ ପାଳି ପୁଲିସ ପ୍ରଥମେ ତାଙ୍କୁ ଅଟକାଇ ଥିଲା । ହେଲେ ପୁଲିସକୁ ଦେଖି ଗାଡି ଚାଳକ ଜଣଙ୍କ ବାଇକ ରଖି ପାଣ୍ଡିଆନଙ୍କ ଲୋକ ବୋଲି ଛକରେ ଉପସ୍ଥିତ ଥିବା ଜୋନାଲ ଏସିପିଙ୍କୁ କହିଥିଲେ । ହେଲେ ଏସିପି ସାର ଫାଇନ କାଟୁଥିବା ଜଣେ ଅଧିକାରୀଙ୍କ ପାଖକୁ ଯିବା ପାଇଁ କହିଥିଲେ । ବ୍ୟକ୍ତି ଜଣଙ୍କ ସେଠାକୁ ଯାଇ ସେ ପାଣ୍ଡିଆନଙ୍କ ଲୋକ ବୋଲି ପୁଣି ଦୋହରାଇ ଥିଲେ । ହେଲେ ଅଫିସର ଜଣଙ୍କ ତାଙ୍କ କୌଣସି କଥାକୁ ଶୁଣିନଥିବା ବେଳେ ବ୍ୟକ୍ତି ଜଣଙ୍କ ଆଉ ଏକ ନକଲି ଚାବି ଦ୍ୱାରା ସେଠାରୁ ବାଇକ ନେଇ ଫେରାର ହୋଇଯାଇଥିଲେ । ସୂଚନାଯୋଗ୍ୟ ପୁଲିସ ପାଖରେ ଏବେବି ଗାଡିର ଚାବି ମୌଜୁଦ ରହିଥିବା ଟ୍ରାଫିକ ଏସଆଇ ସାମାନ୍ତତରାୟ ବାବୁ ଜଣାଇଛନ୍ତି ।


ସେୟାର କରନ୍ତୁ