ଚାଲାକ ଡ୍ରାଇଭର… ମାଲିକକୁ ଠକିବା ଅଭିଯୋଗରେ ଧରାପଡିଲା, ଗାଡି ଜବତ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ମାସ ମାସ ଧରି ମାଲିକଙ୍କ ଗାଡି ଚଲାଇଲା । ବିଶ୍ୱାସ ମଧ୍ୟ ଜିତିଲା । ହେଲେ କ’ଣ ଜଣାଥିଲା ଯେ ସେହି ଡ୍ରାଇଭର ଦିନେ ମାଲିକଙ୍କ ବିଶ୍ୱାସରେ ବିଷ ମିଶାଇବ । ଟଙ୍କା ଲୋଭରେ ରଚିଲା ସଡ଼ଯନ୍ତ୍ର । ସେ ଚଲାଉଥିବା ଗାଡିକୁ ଜାଲ କରି ନିଜ ନାଁରେ କଲା । ପରେ ଗାଡିକୁ ଅନ୍ୟ କାହାକୁ ବିକିବା ପୂର୍ବରୁ ଧରାପଡିଲା ପୁଲିସ ହାତରେ । ଏଭଳି ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ । ପୁଲିସ କାରଟିକୁ ଜବତ କରିଛି । ଅଭିଯୁକ୍ତ ଡ୍ରାଇଭର ଜଣକ ହେଲା ସୁଧିର ଦିଗାଲ ।

ସୂଚନା ମୁତାବକ, ଗଜପତି ନଗରରେ ରହୁଥିବା ଗାଡ଼ି ମାଲିକ ପ୍ରଶାନ୍ତ କୁମାର ସାହୁ ଏପ୍ରେଲ ୨ତାରିଖରେ କାର (ଓଆର-୦୨ବିଏକ୍ସ-୩୪୧୯) ଚୋରି ହୋଇ ଯାଇଥିବା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ଗାଡି ସହ ଡ୍ରାଇଭରର କୌଣସି ପତ୍ତା ମିଳୁନଥିବା ଏତଲାରେ ଉଲ୍ଲେଖ ରହିଥିଲା । ଏହାକୁ ଭିତିକରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଗାଡି ଠାବ କରିବା ପାଇଁ ଚାଳକଙ୍କ ଠିକଣା ଖୋଜିଥିଲା । ହେଲେ ମାଲିକକୁ ଅଭିଯୁକ୍ତ ଡ୍ରାଇଭର ଠିକଣା ଭୁଲ ଦେଇଥିବାରୁ ପୁଲିସ ପ୍ରଥମେ ଅଡୁଆରେ ପଡିଥିଲା । କିଛି ସୁରାକ ଯୋଗାଡ କରିବା ପାଇଁ ପୁଲିସ ଠିକଣାର ଆଖପାଖ ସ୍ଥାନରେ ପଚରାଉଚରା କରିଥିଲା । ବିଭିନ୍ନ ଥାନାକୁ ଗାଡି ସମ୍ପର୍କରେ ଜଣାଇଥିଲା ।

ଗତ ଶନିବାର ରାତିରେ ଫିରିଙ୍ଗିଆ ଥାନା ଅଧିକାରୀ ରାତି ପେଟ୍ରୋଲିଂ କରୁଥିବା ସମୟରେ ଅଞ୍ଚଳରେ ଥିବା ଏକ ହାଇସ୍କୁଲ ନିକଟରେ ଅଜଣା କାର ଥିବା ତାଙ୍କ ନଜରକୁ ଅସିଥିଲା । ସେ ଗାଡି ନିକଟରେ ଥିବା ଦୁଇଜଣ ଯୁବକଙ୍କୁ ଅଟକାଇ ପଚାରିଥିଲେ । ହେଲେ ଉଭୟଙ୍କ କଥାରେ ତାଳମେଳ ରହିନଥିଲା । ଏଥିରେ ଥାନା ଅଧିକାରୀଙ୍କ ସନ୍ଦେହ ହେବାରୁ ଗାଡିକୁ ଜବତ କରି କାଗଜପତ୍ର ଯାଞ୍ଚ କରିଥିଲେ । ପରେ ଜଣାପଡିଥିଲା ଯେ, ଅଭିଯୁକ୍ତ ଡ୍ରାଇଭର ଗାଡି ନମ୍ବର (ଓଆର-୧୨ବିଏକ୍ସ-୭୦୭୦) ବଦଳାଇବା ସହ ଗାଡିଟିକୁ ଜାଲ କରି ନିଜ ନାଁରେ ମଧ୍ୟ କରିଥିଲା ।

ଫିରିଙ୍ଗିଆ ଥାନା ପୁଲିସ ଘଟଣା ବାବଦରେ ଚନ୍ଦ୍ରଶେଖରପୁର ଥାନା ପୁଲିସକୁ ଅବଗତ କରାଇଥିଲେ । ଖବର ପାଇ ଏକ ଟିମ ଗତ ରବିବାର ଫିରିଙ୍ଗିଆ ଥାନାରେ ପହଞ୍ଚି ଗାଡି ଜବତ କରିବା ସହ ଚାଳକକୁ ଗିରଫ କରି ଭୁବନେଶ୍ୱର ଆଣିଥିଲେ । ଜେରା ପରେ ଜଣାପଡିଥିଲା ଯେ, ଚାଳକ ଜଣଙ୍କ ଜାଲ କାଗଜପତ୍ର କରି ଗାଡିଟିକୁ ୪୦ହଜାର ଟଙ୍କାରେ ଜଣେ ଦଲାଲକୁ ବିକ୍ରି କରିବା ପାଇଁ ଯୋଜନା କରିଥିଲା ।


ସେୟାର କରନ୍ତୁ