ଇଞ୍ଜିନିୟର ସ୍ୱାମୀଙ୍କ ଅମାନୁଷିକ କାଣ୍ଡ…ପାଠ ପଢ଼ାଇବା ବାହାନାରେ ଆଣି ନାବାଳିକାକୁ ୩ମାସ ଧରି କରୁଥିଲେ ଦୁଷ୍କର୍ମ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜଧାନୀରେ ରହୁଥିବା ଜଣେ ଇଞ୍ଜିନିୟର ସ୍ୱାମୀଙ୍କ ଅମାନୁଷିକ କାଣ୍ଡ ପଦାକୁ ଆସିଛି । ପାଠ ପଢ଼ାଇବା ବାହାନାରେ ଆଣି ଜଣେ ୧୧ ବର୍ଷୀୟା ନାବାଳୀକାଙ୍କୁ ୩ ମାସ ଧରି ଦୁଷ୍କର୍ମ କରିଛନ୍ତି ଇଞ୍ଜିନିୟର ଜଣଙ୍କ । ଯନ୍ତ୍ରଣା ଅସହ୍ୟ ହେବାରୁ ଗତ ରବିବାର ନାବାଳିକା ଜଣଙ୍କ କୌଶଳକ୍ରମେ ଘର ପାଚେରି ଡେଇଁ ଖସିଆସି ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ଘଟିଣା ବିଷୟରେ ଜଣାପଡିଥିଲା । ଘଟଣାଟି ଘଟିଛି ଡମଣା ଛକ ନିକଟ ପଦ୍ମାବତୀ ବିହାର ଅଞ୍ଚଳରେ । ଅନ୍ୟପଟରେ ନାବାଳିକା ଜଣଙ୍କୁ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରାଯାଇଛି । ଅଭିଯୋଗ ପରେ ଇଞ୍ଜିନିୟର ଜଣଙ୍କ ଫେରାର ଥିବା ଜଣାପଡିଛି । ତାକୁ ଧରିବା ପାଇଁ ପୁଲିସ ଛାନଭିନ ଜାରି ରଖିଛି ।

ଅଭିଯୋଗ ଅନୁଯାୟୀ, ଇଞ୍ଜିନିୟର ଓ ପତ୍ନୀ ପଦ୍ମାବତୀ ବିହାରରେ ରୁହନ୍ତି । ୩ମାସ ତଳେ ବାଲେଶ୍ୱର ଜଳେଶ୍ୱର ଅଞ୍ଚଳରୁ ଜଣେ ଗରିବ ନାବାଳିକାକୁ ପାଠ ପଢ଼େଇବାକୁ କହି ଭୁବନେଶ୍ୱର ଆଣିଥିଲେ ଇଞ୍ଜିନିୟରଙ୍କ ପତ୍ନୀ । ହେଲେ ପାଠ ପଢ଼େଇବେ କ’ଣ ନାବାଳିକା ଜଣଙ୍କୁ ଘର କାମ କରିବା ପାଇଁ କହିଥିଲେ । ଏହିଠୁ ଆରମ୍ଭ ହୋଇଥିଲା ନାବାଳିକା ଉପରେ ନିର୍ଯାତନା ।

ସବୁଠୁ ବଡ଼ କଥା ହେଉଛି, ପତ୍ନୀ ଘରେ ନଥିବା ବେଳେ ଇଞ୍ଜିନିୟର ଜଣଙ୍କ ନାବାଳିକାକୁ ପାଖକୁ ଡାକି ତାଙ୍କ ସହ ଦୁଷ୍କର୍ମ କରନ୍ତି । ଖାଲି ଏତିକି ନୁହେଁ ଏବିଷୟରେ ପାଟି ନଖୋଲିବା ପାଇଁ ଧମକଚମକ ମଧ୍ୟ ଦିଅନ୍ତି । ବେଳେ ବେଳେ ନାବାଳିକାର ମନ ବୁଝିବା ପାଇଁ ତାଙ୍କୁ ଦାମି ଜିନିଷ ଆଣିଦେବା ପାଇଁ ପ୍ରଲୋଭନ ଦେଖାନ୍ତି । ଦିନେ ଅଧେ ନୁହେଁ ପାଖାପାଖି ୩ମାସ ଧରି ଇଞ୍ଜିନିୟର ସ୍ୱାମୀ ଜଣଙ୍କ ତାଙ୍କ ସହ ଦୁଷ୍କର୍ମ କରି ଆସୁଥିଲେ । ଯନ୍ତ୍ରଣା ଅସହ୍ୟ ହେବାରୁ ନାବାଳିକା ଜଣଙ୍କ ଘରୁ ଖସି ପଳେଇଯିବା ପାଇଁ ଯୋଜନା କରିଥିଲେ । ରବିବାର ଘରେ କେହି ନଥିବା ବେଳେ କୌଶଳକ୍ରମେ ସେ ଘର ପାଚେରୀ ଡେଇଁ ନିକଟରେ ଥିବା ନୀଳପଡିଆ ବସ୍ତିରେ ପଶିଯାଇଥିଲେ । ସମସ୍ତ କଥା ବସ୍ତିବାସିନ୍ଦାକୁ ଜଣାଇଥିଲେ । ପରେ ସେମାନଙ୍କ ସହ ଯାଇ ନାବାଳିକା ଜଣଙ୍କ ଚନ୍ଦ୍ରଶେଖରପୁର ଥାନା ପୁଲିସ ନିକଟରେ ଅଭିଯୋଗ କରିଥିଲେ ।


ସେୟାର କରନ୍ତୁ