ଅନ୍ଧାରରେ ଥାନା…ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜ୍ୟ ସରକାର ପୁଲିସ ବ୍ୟବସ୍ଥାକୁ ଆଧୁନୀକରଣ କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଓଲଟା । ଖୋଦ କମିଶନରେଟ ପୁଲିସର ଖାରବେଳନଗର ଥାନାରେ ମଙ୍ଗଳବାର ଦିନ ଦିନ ୧୧ଟାରୁ ରାତି ୯ଟା ପର୍ଯ୍ୟନ୍ତ କରେଣ୍ଟ ନଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

ଥାନାରେ ବନ୍ଧୁକଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ରହିଛି । ଖାଲି ଏତିକି ନୁହେଁ ଭିତରେ ହାଜତ ରହିଥିବାରୁ ଅଭିଯୁକ୍ତ କୌଣସି ସମୟରେ ଆସି ପହଞ୍ଚୁଛନ୍ତି । ତେଣୁ ଥାନା ଭିତରେ ଅନ୍ଧାର ଥିବାରୁ କ’ଣ ଯେ ଅଘଟଣ ନଘଟିବ ତହା କିଏ କହିବ? ପୁଲିସ ବଡ଼ ବଡ଼ିଆ ବାବୁମାନେ ଥାନାରେ ଲାଇଟ ଜଳିବା ପାଇଁ ଉପକରଣ ଯୋଗାଇ ଦିଆଯାଉଥିବା କହୁଥିବା ବେଳେ ଖାରବେଳନଗର ଥାନାର ବାସ୍ତବ ଚିତ୍ର ପ୍ରମାଣ କରୁଛି କିଛି ଭିନ୍ନ । ବାବୁମାନେ ଖାଲି କଥାରେ ପବନ କରିବା ଛଡା ଥାନା ପାଇଁ କିଛି କରୁନଥିବା ବୁଦ୍ଧିଜୀବୀ ମତ ବାଢ଼ିଛନ୍ତି ।

ସେପଟେ ଆଜି ଥାନାରେ ଲଣ୍ଠଣ ଜାଳି କାମ ଚଳାଇବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସନ୍ଧ୍ୟା ସମୟରେ ଅଭିଯୋଗକାରମାନେ ଥାନା ବାହାରେ ରାସ୍ତା ଲାଇଟରେ ଅଭିଯୋଗ ଲେଖୁଥିବା ଦେଖିବାକୁ ମିଳିଥିଲା । ଥାନାର ଅବସ୍ଥା ଏମିତି ରହିଥିଲା ଯେ ଡିସିଓଠାରୁ ଆରମ୍ଭ କରି ପୁଲିସ କର୍ମଚାରୀମାନେ ବାହାରେ ବୁଲୁଥିବା ନଜରକୁ ଆସିଥିଲା । ଥାନା ସମ୍ମୁଖରେ ଲଣ୍ଠଣ ଲଗାଯାଇ ଅଭିଯୋଗ ରଖାଯାଉଥିଲା । ଏନେଇ ଥାନା ଅଧିକାରୀ କୁହନ୍ତି ରାସ୍ତା କାର୍ଯ୍ୟ ଚାଲୁଥିବାରୁ କୌଣସି ସ୍ଥାନରୁ ତାର କଟିଯାଇ ବିଦ୍ୟୁତ ନଥିଲା ।


ସେୟାର କରନ୍ତୁ