ରେଷ୍ଟୁରାଣ୍ଟରେ ବୋମା ମାଡ଼ ଘଟଣା, ଦୁଇ ଗିରଫ…ଅଭିଯୁକ୍ତଙ୍କ ନାଁରେ ରହିଛି ୫ରୁ ଅଧିକ ମାମଲା

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ବାପୁଜୀନଗରରେ ଥିବା ଫୁଡ ଜଙ୍କସନ ରେଷ୍ଟୁରାଣ୍ଟରେ ହୋଇଥିବା ବୋମା ମାଡ଼ ଘଟଣାରେ କ୍ୟାପିଟାଲ ଥାନା ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ଏୟାରଫିଲ୍ଡ ଭୀମଟାଙ୍ଗୀର ପ୍ରଦିପ୍ତ କୁମାର ସାହୁ ଓରଫ ଷ୍ଟାର ପିଟୁଁ (୨୭) ଓ ଚନ୍ଦ୍ରଶେଖରପୁର ବିଡିଏ କଲୋନୀର ବିଶ୍ୱରଞ୍ଜନ ପତି ଓରଫ ଲକି (୨୫) । ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଅଭିଯୁକ୍ତମାନେ ରେଷ୍ଟୁରାଣ୍ଟ ଉପରକୁ ବୋମା ମାଡ଼ କରିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ।

ପୁଲିସ ସୂଚନା ଅନୁଯାୟୀ, ପୁର୍ବରୁ ରେଷ୍ଟୁରାଣ୍ଟ ସିକ୍ୟୁରିଟି ଗାର୍ଡ ସହ ଅଭିଯୁକ୍ତ ଦ୍ୱୟଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହାକୁ ରାଗ ରଖି ପ୍ରଦୀପ୍ତ ଓ ବିଶ୍ୱରଞ୍ଜନ ଗତ ମଙ୍ଗଳବାର ରାତିରେ ଏକ ବାଇକରେ ଆସି ଫୁଡ ଜଙ୍କସନ ରେଷ୍ଟୁରାଣ୍ଟ ସମ୍ମୁଖରେ ପହଚିଂଥିଲେ । କେହି କିଛି ବୁଝିବା ଆଗରୁ ଅଭିଯୁକ୍ତମାନେ ଗାଡିରୁ ଓହ୍ଲାଇ ସିକ୍ୟୁରିଟି ଗାର୍ଡ ସହ ଯୁକ୍ତିତର୍କ କରିଥିଲେ । ରେଷ୍ଟୁରାଣ୍ଟ ବାହାରେ ଥିବା କିଛି ଲୋକଙ୍କୁ ଭୟଭିତ କରିବା ସହ ଦୁଇଟି ବୋମା ରେଷ୍ଟୁରାଣ୍ଟ ଉପରକୁ ଫିଙ୍ଗି ସେଠାରୁ ଚମ୍ପଟ ମାରିଥିଲେ ।

ଜୋର ଶବ୍ଦ ଶୁଣି ଲୋକେ ତା ଭିତରୁ ଧାଇଁ ଆସିଥିଲେ । ଖାଲି ଏତିକି ନୁହେଁ ତଳ ମହଲାରେ ବାର ଓ ଉପରେ ମହଲାରେ ଡ୍ୟାନ୍ସ ବାର ଚାଲୁଥିବାରୁ ସଙ୍ଗେ ସଙ୍ଗେ ସେଠାରୁ ବହୁ ଯୁବକ ଓ ଯୁବତୀଙ୍କୁ ବାହାରକୁ ବାହାର କରାଯାଇଥିଲା । ରେଷ୍ଟୁରାଣ୍ଟର ସାମ୍ନା କାଚ ଦୁଆର ବହୁ ଅଂଶ ଭାଙ୍ଗି ମଧ୍ୟ ଯାଇଥିଲା । ଏଥିରେ ହୋଟେଲ ମ୍ୟାନେଜର ସୁରେନ୍ଦ୍ର ପଟ୍ଟନାୟକ ଗୁରୁତର ଆହତ ହୋଇଥିଲେ । ପରେ ହୋଟେଲ ମାଲିକ ମିଲିନ୍ଦ ଗୁପ୍ତା କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ।

ପୁଲିସ ୨୩୪/୧୮ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ତନାଘନା ଚଳାଇଥିଲା । ସିସିଟିଭି ଫୁଟେଜ ଯାଚଂ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କୁ ଆଜି ଭୀମପୁର ଅଚଂଳରୁ ଗିରଫ କରିଛି ପୁଲିସ । ଅଭିଯୁକ୍ତଙ୍କ ବିରୋଧରେ ଖଣ୍ଡଗିରି, ଖାରବେଳନଗର ଓ ଏୟାରଫ୍ଲିଡ ଥାନାଗୁଡିକରେ ୫ରୁ ଉର୍ଦ୍ଧ ମାମଲା ରହିଥିବା ପୁଲିସ କହିଛି । ସେଗୁଡିକ ଭିତରୁ ଖଣ୍ଡଗିରି ସିରିପୁରୁରେ ଥିବା ଗୋଲ୍ଡ ଜିମ୍ ରେ ଆକ୍ରମଣ କରିବା ଘଟଣା ଓ ଖାରବେଳନଗର ସାଇ ଗେଷ୍ଟହାଉସରେ ଆତଙ୍କ ଖେଳାଇବା ଘଟଣା ଅନ୍ୟତମ ।


ସେୟାର କରନ୍ତୁ