ଅଧାରେ ରହିଲା ଆଇବିଏମ କ୍ୟାମ୍ପସ ପାଇବା ସ୍ୱପ୍ନ…ପେପର ଖରାପ ହେବାରୁ ଜୀବନ ହାରିଲେ ଛାତ୍ର

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ସ୍ୱପ୍ନ ଥିଲା ଏକ ମଲ୍ଟିନ୍ୟାସନାଲ କମ୍ପାନୀରେ ଚାକିରି କରିବା । ଏଥିପାଇଁ ସେ କରିଥିଲେ ଝାଳବୁହା ପ୍ରରିଶ୍ରମ । ବହୁ କଷ୍ଟରେ ଆଇବିଏମ ଭଳି ସଂସ୍ଥାରେ କ୍ୟାମ୍ପସ ମଧ୍ୟ ପାଇଲେ । ଭାବିଥିଲେ କଲେଜ ପଢ଼ା ସରିଲେ ଉକ୍ତ ସଂସ୍ଥାରେ ଯୋଗ ଦେଇଥାନ୍ତେ । ହେଲେ କଲେଜ ପରୀକ୍ଷା ଫଳ ସବୁ ଗଡ଼ବଡ଼ କରିଦେଲା । ଦୁଇଟି ପେପର ଖରାପ ହେବାରୁ ଶେଷରେ ଜୀବନ ହାରିଲେ ଛାତ୍ର ଜଣଙ୍କ । ଏମିତି ଏକ ଦୁଃଖଦାୟକ ଘଟଣା ଚନ୍ଦ୍ରଶେଖରପୁର ଶୈଳେଶ୍ରୀ ବିହାରରେ ଘଟିଛି ଯାହା ବିଭିନ୍ନ ଶିକ୍ଷାଅନୁଷ୍ଠାନ ଓ ଅଚଂଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପରୀକ୍ଷା ଖରାପ ହେବାରୁ ଜଣେ ନିଜକୁ ମାରିଦେବା ନେଇ ସମସ୍ତେ ପ୍ରଶ୍ନ କରିଛନ୍ତି ।

ଶୈଳେଶ୍ରୀ ବିହାର ଭିଆଇଆଇଏମ-୬୬୬ରେ ଭଉଣୀ ଓ ଭେଣୋଇଙ୍କ ସହ ରୁହନ୍ତି କେନ୍ଦ୍ରାପଡ଼ା ଛତାଓଲ୍ଡିର ଧନ୍ନଞ୍ଜୟ ରାଉତ (୨୧) । ସେ ଇନଫୋସିଟି ଅଚଂଳରେ ଥିବା ମିଟସ୍ ସ୍କୁଳ ଅଫ ବାୟୋଟେକ୍ନୋଲୋଜି କଲେଜରେ ବିଏସସି କରୁଥିଲେ । କଲେଜରେ ସମସ୍ତଙ୍କ ସୁଖଦୁଃଖରେ ଛିଡ଼ା ହେବା ସହ ସେ ଭଲ ପାଠ ମଧ୍ୟ ପଢ଼ୁଥିବା ତାଙ୍କ ସାଙ୍ଗମାନେ କହିଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି, ଧନ୍ନଞ୍ଜୟଙ୍କର କଲେଜରେ ଶେଷ ବର୍ଷ ଥିବାରୁ ସେ ଚାକିରି କରିବା ପାଇଁ ଆଇବିଏମ ଭଳି ମଲ୍ଟିନ୍ୟାସନାଲ କମ୍ପାନୀ କ୍ୟାମ୍ପସ ପାଇଁ ଚେଷ୍ଟା କରିଥିଲେ । ଇତିମଧ୍ୟରେ କ୍ୟାମ୍ପସ ମଧ୍ୟ ପାଇଥିଲେ । ଖାଲି ବିଏସସି ବାୟୋଟେକ ପରୀକ୍ଷା ଫଳକୁ ଅପେକ୍ଷା କରିଥିଲେ ।

ଗତ ବୁଧବାର ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଥିଲା । ହେଲେ ଦୁଃଖର ବିଷୟ ଧନ୍ନଞ୍ଜୟଙ୍କ ଦୁଇଟି ପେପର ଖରାପ ହୋଇଯିବାରୁ ସେ ଭାଙ୍ଗି ପଡିଥିଲେ । ସେପଟେ କ୍ୟାମ୍ପସ ଓ ଏପଟେ ପରୀକ୍ଷା ଫଳ ଖରାପ ନେଇ ତାଙ୍କ ମୁଣ୍ଡ କାମ କରିନଥିଲା । ସନ୍ଧ୍ୟା ବେଳେ ଘରେ କେହି ନଥିବା ବେଳେ ଧନ୍ନଞ୍ଜୟ ଫ୍ୟାନରେ ଗାମୁଛା ଲଗାଇ ଝୁଲି ପଡିଥିଲେ । ସେ ଆତ୍ମହତ୍ୟା କରିଥିବା ଭେଣୋଇ ଘରକୁ ଫେରି ଦେଖିଥିଲେ । ପୁଲିସକୁ ଖବର ଦେବା ପରେ ଚନ୍ଦ୍ରଶେଖପୁର ଥାନା ପୁଲିସ ପହଚିଂ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା ।


ସେୟାର କରନ୍ତୁ