ହଜିଯାଇଛି ମାନବିକତା…ବୃଦ୍ଧ ମା’ ପେଟ ଉପରେ କାଠ ପକାଇ ଚଢ଼ିଗଲେ ପୁଅ…କାର୍ଯ୍ୟାନୁଷ୍ଠାନ ଦାବି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ୧୦ମାସ ୧୦ ଦିନ ଛୁଆକୁ ଗର୍ଭରେ ରଖିଲେ । ଜନ୍ମ ପରେ ମୁଣ୍ଡକୁ ହାତ ପାଇଲା ପର୍ଯ୍ୟନ୍ତ ଲାଳନପାଳନ ମଧ୍ୟ କଲେ । ଭାବିଥିଲେ ବଡ଼ ହୋଇ ପୁଅ ଯତ୍ନ ନେବ । ହେଲେ ପୁଅ ମା’ର ଦୁଃଖ ବୁଝିବ କ’ଣ ଓଲଟା ଦାଉ ସାଧିଲା । କୌଣସି ଏକ କଥାକୁ ନେଇ ପୁଅ ବୃଦ୍ଧ ମା’କୁ ଗାଁ ଦାଣ୍ଡରେ ଗୋଡେଇ ତୋଡେଇ ପିଟିଲେ । ଏତିକି ନୁହେଁ ପୁଅ ଅସଭ୍ୟ ଭାଷାରେ ଗାଜିଗୁଳଜ କରିବା ସହ ବୁଢ଼ି ମା’ ପେଟ ଉପରେ କାଠ ଫାଳିଆ ପକାଇ ଚଢ଼ିଯିବା ଘଟଣା ପୁରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏମିତି ଏକ ହୃଦୟବିଦାରକ ଘଟଣାର ଭିଡିଓ ଏବେ ଭାଇରାଲ ହୋଇଛି । ଯାହା ସମସ୍ତଙ୍କ ମନରେ ଗୋଟିଏ କଥା ଦୋହରାଇଛି ଯେ, ହଜିଯାଇଛି ମାନବିକତା ।

ପୁଅ କୌଣସି ଗୋଟେ କଥାକୁ ନେଇ ବୁଢ଼ି ମା’କୁ ପତ୍ନୀ ସାମ୍ନାରେ ଗାଁ ଦାଣ୍ଡରେ ଘୋଷାରି ଘୋଷାରି ଘର ଭିତରୁ ଟାଣି ଆଣୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ତାହାକୁ ପତ୍ନୀ ମଧ୍ୟ କିଛି ସମୟ ପର୍ଯ୍ୟନ୍ତ ଚୁପଚାପ ଚାହିଁ ରହିଛନ୍ତି । ମା’କୁ ବିଧା ଗୋଇଠା ମାରିବା ସହ ପୁଅ ଗାଳିଗୁଳଜରେ ମା’ଭଉଣୀ ଉଡ଼ାଉଛନ୍ତି । ବୁଢ଼ି ମା’ ପୁଅର ନିର୍ଯାତନାକୁ ବିରୋଧ କରିବାରୁ ପୁଅ ଘର ବାରଣ୍ଡାରେ ପଡ଼ିଥିବା ଏକ କାଠ ଫାଳିଆ ଆଣି ମା’ ପେଟରେ ପକାଇ ଚଢ଼ିଯାଇଥିଲେ । ପରେ ପତ୍ନୀ ହସ୍ତକ୍ଷପ କରିବା ପରେ ପୁଅ ଘର ଭିତରକୁ ଯାଇଥିଲେ ।

ଭାଇରାଲ ଭିଡ଼ିଓରେ ବୁଢ଼ି ମା’ ଓ ପୁଅ ଓଡ଼ିଆ ଭାଷାରେ କଥା କଟାକଟି ହେଉଥିବାରୁ ଘଟଣାଟି ଓଡ଼ିଶାର କୌଣସି ଏକ ଜିଲ୍ଲାରେ ଘଟିଥିବା ଜଣାପଡିଛି । ପୁଲିସ ଏହାର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି । କିଛି ଦିନ ତଳେ ବୋହୂ ନିଜ ଶାଶୁଙ୍କୁ ଘୋଷାରି ଘୋଷାରି ଗାଁ ଦାଣ୍ଡରେ ନିର୍ଧୁମ ପିଟୁଥିବା ବେଳେ ଏହି ଘଟଣା ପୁଣି ଚର୍ଚ୍ଚାର ବିଷୟ ପାଲଟିଛି ।


ସେୟାର କରନ୍ତୁ