ଅନଲାଇନ ମାର୍କେଟିଂ କରୁଛନ୍ତି ତାହାଲେ ସାବଧାନ!…୧୦ ଲକ୍ଷ୍ୟ ଟଙ୍କା ଅନଲାଇନ ଠକେଇ ଅଭିଯୋଗ, ଠକ ଗିରଫ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ସୋସାଲ ମିଡ଼ିଆକୁ ହାତ କରି ଏବେ ଅନଲାଇନ ମାର୍କେଟିଂ ଚାରିଆଡ଼େ ଜୋରଦାର ଚାଲିଛି । ସେ ଫେସବୁକ ହେଉ ବା ଟ୍ୱିଟର ବା ହ୍ୱାଟ୍ସଆପ । ଜଣେ ବ୍ୟବସାୟୀ ଏହି ସବୁଥିରେ ଅନଲାଇନ ମାର୍କେଟିଂ ପାଇଁ ନିଜ କମ୍ପାନୀର ବିଜ୍ଞାପନ ଦିଅନ୍ତି । ଏଥିସହ ସାମଗ୍ରୀ ବିକ୍ରି କରିବା ପାଇଁ ବିଭିନ୍ନ ଡ୍ରେସରେ ରିହାତି ମଧ୍ୟ ରଖିଥାଆନ୍ତି । ଯାହା ଦେଖି ୟୁଜର ବା ଗ୍ରାହକ ଘରୁ ବସି ନିଜ ମନପସନ୍ଦର ଜିନିଷ କିଣିଥାଆନ୍ତି । ହେଲେ ଅନଲାଇନ ମାର୍କେଟିଂ ଜରିଆରେ ପ୍ରଥମ ଥର ରାଜଧାନୀରେ ଏକ ବଡ଼ ଧରଣର ଠକେଇ ଦେଖିବାକୁ ମିଳିଛି । ଅଭିଯୋଗ ଆସିବା ପରେ କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାଡ଼ ଚଢ଼ଉ କରି ଜଣେ ଠକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ବାଲେଶ୍ୱର ଜିଲ୍ଲାର ରଶ୍ମୀରଞ୍ଜନ ପାଣୀ । ସେ ରାଜଧାନୀ ଉପକଣ୍ଠ ଓରାକଳ ଅଚଂଳରେ ଥିବା ଏକ ଆପାର୍ଟମେଣ୍ଟରେ ରହୁଥିଲେ ।

ବସୁଠୁ ବଡ଼ କଥା ହେଉଛି ଅଭିଯୁକ୍ତ ଜଣଙ୍କ ଗିରଫଦାରିରୁ ବଚିଂବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥିଲେ । ପ୍ରଥମତଃ ଅଭିଯୁକ୍ତ ଜଣଙ୍କ ନିଜ ପରିଚୟ ଗୋପନ ରଖିଥିଲେ । ନକଲି ପରିଚୟପତ୍ର ଦାଖଲ କରି ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିଲେ । ବ୍ୟବସାୟ କରିବା ଲାଗି ଗ୍ରାହକଙ୍କ ସହ କଥା ହେବା ପାଇଁ ବିଭିନ୍ନ ସିମକାର୍ଡ ବ୍ୟବହାର କରୁଥିଲେ । ଜଣଙ୍କ ସହ ଟଙ୍କା ଦେଣନେଣ ସରିବା ପରେ ଅଭିଯୁକ୍ତ ଜଣଙ୍କ କଥା ହୋଇଥିବା ସିମକାର୍ଡକୁ ଫିଙ୍ଗି ଦେଉଥିଲେ । ଖାଲି ଏତିକି ନୁହେଁ ଅନଲାଇନ ସପିଂ କରିବା ପାଇଁ ଗ୍ରାହକଙ୍କଠାରୁ ଅନଲାଇନ ଜରିଆରେ ଟଙ୍କା ନେଉଥିଲେ ଏବଂ ହୋମ୍ ଡେଲିଭରିକୁ ପୁରାପୁରି ବାରଣ କରିଥିଲେ ଅଭିଯୁକ୍ତ ଜଣଙ୍କ ବୋଲି ପୁଲିସ କମିଶନର ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଛନ୍ତି ।

ପୁଲିସ କହିବା ଅନୁଯାୟୀ, ଅଭିଯକ୍ତ ରଶ୍ମୀରଞ୍ଜନ ଟଙ୍କା ରୋଜଗାର କରିବା ପାଇଁ ଭୁଲ ରାସ୍ତା ଆପଣାଇଥିଲେ । ଗତ ବର୍ଷ ଫେସବୁକରେ ଏକ ଅନଲାଇନ ସଂସ୍ଥା ଖୋଲିଥିଲେ । ଯାହାର ନାଁ ଥିଲା ଗେଟୱେ ଫାଉଣ୍ଡେସନ ଏବଂ ଏଥିରେ ସେ ବିଭିନ୍ନ କିସମର ଡେସ୍ ବିକ୍ରି କରୁଥିଲେ । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ସେ ବିଭିନ୍ନ ଡେସ୍ ଉପରେ ରିହାତି ରଖୁଥିଲେ । ଏହାବାଦ ଅଧିକରୁ ଅଧିକ ଲୋକଙ୍କୁ ଯୋଗାଯୋଗ କରିବା ପାଇଁ ସେ ହ୍ୱାଟ୍ସଆପରେ ଗ୍ରୁପ କରି ଲୋକଙ୍କୁ ବିଭିନ୍ନ ଡେସ୍ ଉପରେ ରିହାତି ଥିବା ପଠାଉଥିଲେ । ମନପସନ୍ଦର ଡେସ୍ କିଣିବା ପାଇଁ ଲୋକେ ତାଙ୍କୁ ଫୋନ କରୁଥିଲେ । ବାସ ଏହାପରେ ଆରମ୍ଭ ହେଉଥିଲା ଠକେଇର ବ୍ଲ୍ୟୁ-ପ୍ରିଣ୍ଟ । କିଛି ଦିନ ତଳେ ଇନ୍ଦୋରର ଜଣେ ବ୍ୟବସାୟୀ ଚିରାଗ ଜେନ୍ ଗେଟୱେ ଫାଉଣ୍ଡେସନ ସଂସ୍ଥାରୁ ଅନଲାଇନ ୧୫ହଜାର ଟଙ୍କାର ଜିନିଷ କିଣିଥିଲେ । ହେଲେ ସମୟ ଭିତରେ ଜିନିଷ ନପାଇବାରୁ ସେ ଉକ୍ତ ସଂସ୍ଥାରେ ଦିଆଯାଇଥିବା ଫୋନ ନମ୍ବରରେ ଯୋଗାଯୋଗ କରିଥିଲେ । ହେଲେ ନମ୍ବର ଭୁଲ ଥିବା ଜାଣିବାକୁ ପାଇଥିଲେ ।

ଉପାୟଶୂନ୍ୟ ହୋଇ ଚିରାଗ ବଡ଼ଗଡ଼ ଥାନାରେ ଠକେଇ ସମ୍ପର୍କିତ ଏକ ଅଭିଯୋଗ ଦାୟାର କରିଥିଲେ । କାରଣ ସେ ବଡ଼ଗଡ଼ ଥାନା ଅଧିନରେ ଥିବା ଏକ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଘଟଣା ପଛର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ସ୍ପେଶାଲ ସ୍କ୍ୱାଡ଼କୁ ଦାୟିତ୍ୱ ଦିଆଯାଇଥିଲା । ଅଭିଯୁକ୍ତ ପାଖରେ ପହଚିଂବା ପାଇଁ ପୁଲିସ ବ୍ୟାଙ୍କରେ ପଚରାଉଚରା କରିଥିଲା । ହେଲେ ପରିଚୟ ନକଲି ଥିବା ପୁଲିସ ଜଣିବାକୁ ପାଇଥିଲା । ପରେ ଅଭିଯୁକ୍ତର ମୋବାଇଲ ଫୋନ ଆଇଏମଇଆଇ ନମ୍ବରକୁ ଟ୍ରାକ କରି ପୁଲିସ ତାକୁ ଭୁବନେଶ୍ୱର ଉପକଣ୍ଠରେ ଥିବା ଆପାର୍ଟମେଣ୍ଟରୁ ଧରିଥିଲା । ଏହିଭଳି ଭାବେ ଅଭିଯୁକ୍ତ ଜଣଙ୍କ ୧୨ରୁ ଅଧିକ ବ୍ୟକ୍ତିଙ୍କଠାରୁ ଟଙ୍କା ହଡ଼ପ କରିଥିଲା ପୁଲିସ ଜାଣିବାକୁ ପାଇଛି ।


ସେୟାର କରନ୍ତୁ