ପୁଣି ଆକ୍ସନ ମୁଡ଼ରେ ହିମାଂଶୁ ଲାଲ, ଗ୍ୟାଙ୍ଗଷ୍ଟର ଟିଟୋକୁ ଏନକାଉଣ୍ଟର

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ବହୁ ବର୍ଷର ବ୍ୟବଧାନ ପରେ ପୁଣି ଆକ୍ସନ ମୁଡ଼ରେ ଆସିଛନ୍ତି କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଡ଼ିଆଇଜି ହିମାଂଶୁ ଲାଲ । ରାଜ୍ୟରେ ହଇଚଇ ମଚେଇଥିବା ଗ୍ୟାଙ୍ଗଷ୍ଟର ଟିଟୋକୁ ଆୟତକୁ ଆଣିଛନ୍ତି ଏହି ଆଇପିଏସ ଅଫିସର ଜଣଙ୍କ । ଏସଟିଏଫରେ ଯୋଗ ଦେବା ପୂର୍ବରୁ ମଧ୍ୟ ଶ୍ରୀ ଲାଲଙ୍କ ଦବାଙ୍ଗଗୀରୀ ଦେଖିବାକୁ ମିଳିଥିଲା । ସେ କମିଶନରେଟ ପୁଲିସରେ ଡିସିପି ଭାବେ କାମ କରିବା ହେଉ ବା ରାଉରକେଲାରେ ଏସପି ଭାବେ, ସବୁ ଆଡ଼େ ତାଙ୍କ ସଫଳତା ପାଇଁ ସେ ଜଣାଶୁଣା । ହତ୍ୟା, ଟେଣ୍ଡର ଫିକ୍ସିଂ, ଦାଦାବଟି ଆଦାୟ, ଜମି ଜବରଦଖଲ, ଅପହରଣ ଭଳି ଜଘନ୍ୟ ଘଟଣାରେ ସଂପୃକ୍ତ ଥିବା ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀକୁ ଶନିବାର ଏନକାଉଣ୍ଟର କରିଛି ଏସଟିଏଫ ଟିମ୍ । ହିମାଂଶୁ ଲାଲଙ୍କ ନେତୃତ୍ୱରେ ଏହି ଟିମ୍ ଟିଟୋକୁ କାବୁ କରିବାରେ ସଫଳ ହୋଇଛି ।

ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟରେ ଅଭିଯୁକ୍ତ ଟିଟୋକୁ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଟିଟୋକୁ ବଡ଼ଚଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟିଟୋକୁ କେନ୍ଦ୍ରାପଡ଼ା ଦିଲାରପୁର ସ୍ଥିତ ଘରୁ କିଛି ଅଜଣା ଲୋକ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା । ତାହା ପୁଣି ଏକ ନାଲିବତୀ ଲାଗିଥିବା ଟାଟା ସୁମୋ ଗାଡ଼ିରେ ତାଙ୍କୁ ଉଠାଇ ନିଆଯାଇଥିଲା । ତେବେ ଏ ସମ୍ପର୍କରେ ଏସଟିଏଫ କିଛି ସ୍ପଷ୍ଟ କରିନଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଗ୍ୟାଙ୍ଗଷ୍ଟର ତଥା ଟେଣ୍ଡର ଫିକ୍ସିଂର ବାଦଶାହା କୁହାଯାଉଥିବା ଟିଟୋକୁ ଧରିବା ପାଇଁ ଏସଟିଏଫ ଏକ ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା । ଏଥିପାଇଁ ଶ୍ରୀ ଲାଲଙ୍କ ନିର୍ଦ୍ଦେଶକ୍ରମେ ବଛା ବଛା ନିପୁଣ ପୁଲିସ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ତିଆରି କରାଯାଇଥିଲା । କିନ୍ତୁ ଏହା ପୂର୍ବରୁ କଟକ ଡିସିପି ଅଖିଳେଶ୍ୱର ସିଂଙ୍କ ନେତୃତ୍ୱରେ ମଧ୍ୟ ଏକ ଟିମ ଟିଟୋ ଯିବାଆସିବାରେ ନଜର ରଖିଥିଲେ । ହେଲେ ଶେଷରେ ଅପରେସନକୁ ଅଞ୍ଜାମ ଦେଇଛନ୍ତି ଏସଟିଏଫ ଡିଆଇଜି ଶ୍ରୀ ଲାଲ ଓ ଟିମ ।


ସେୟାର କରନ୍ତୁ