ଅଡୁଆରେ ଅଭିନେତା ଶ୍ରୀତମ ଦାସ, ଚିଟଫଣ୍ଡ ଲିଙ୍କ ନେଇ ସସପେନ୍ସ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଚିଟଫଣ୍ଡ ଠକେଇ ଲିଙ୍କ ନେଇ ପୁର୍ବରୁ ଓଲିଉଡ଼ର ବହୁ ଅଭିନେତା ଓ ଅଭିନେତ୍ରୀଙ୍କ ନାଁ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଅଡୁଆରେ ପଡିଛନ୍ତି ଅଭିନେତା ଶ୍ରୀତମ ଦାସ । ଚିଟଫଣ୍ଡ ସଂସ୍ଥା ଷ୍ଟାର କନସଲଟାନ୍ସି ଠକେଇ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗତ ମଙ୍ଗଳବାର ଶ୍ରୀତମ ଦାସଙ୍କୁ ୭ ଘଣ୍ଟା ମାରାଥନ ଜେରା କରିଥିଲା । ଏହି ସଂସ୍ଥାର ଟଙ୍କାରେ ଓଡିଆ ଫିଲ୍ମ ‘ତୁ ଥା ମୁଁ ଯାଉଛି ରୁଷି’ ନିର୍ମାଣ ହୋଇଥିବା ତଦନ୍ତରେ ଇଡି ଜାଣିବାକୁ ପାଇଥିଲା । ତେବେ ଉକ୍ତ ଫିଲ୍ମର ନିର୍ଦ୍ଦେଶକ ଥିଲେ ଅଭିନେତା ଶ୍ରୀତମ ।

ଫିଲ୍ମରେ କେତେ ପରିମାଣର ଠକେଇ ଟଙ୍କା ବିନିଯୋଗ ହୋଇଛି, ସେ ସଂକ୍ରାନ୍ତରେ ପଚରାଉଚରା କରିବାକୁ ଇଡି ଶ୍ରୀତମଙ୍କୁ ନୋଟିସ୍ ଜାରି କରିଥିଲା । ଇଡି ନୋଟିସ୍ ପାଇବା ପରେ ଶ୍ରୀତମ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ । ତଦନ୍ତକାରୀ ଅଧିକାରୀମାନେ ତାଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ ।

ଏଥିସହ ଉକ୍ତ ଫିଲ୍ମରେ କେତେ ଜଣ କଳାକାର ରହିଥିଲେ । କେଉଁ କଳାକାର କେତେ ଟଙ୍କା ନେଇଥିଲେ । ବିନିଯୋଗ ହୋଇଥିବା ଟଙ୍କା ଦେବା ଲୋକ କିଏ ? ଏହିପରି ଶ୍ରୀତମଙ୍କୁ ଅନେକ ପ୍ରଶ୍ନ ପଚରାଯାଇଥିଲା । ତଦନ୍ତକାରୀ ଅଧିକାରୀଙ୍କ ପ୍ରଶ୍ନରେ ଶ୍ରୀତମ ହଡବଡେଇ ଯାଇଥିବା ଜଣାପଡ଼ିଥିଲା । ଗୋଟିଏ ପଟେ ଚିଟଫଣ୍ଡ ଠକେଇ ମାମଲାରେ ଶ୍ରୀତମଙ୍କ ଲିଙ୍କକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ଉକ୍ତ ମାମଲାରେ ତାଙ୍କୁ ଇଡି ପୁଣି ଜେରା କରିବ ବୋଲି ଜଣାପଡିଛି ।

ଇଡ଼ି ଜେରା ପରେ ଶ୍ରୀତମ ଗଣମାଧ୍ୟମକୁ କହିଥିଲେ ଯେ, ସେ ଫିଲ୍ମର ନିର୍ଦ୍ଦେଶକ ଥିଲେ । ଚିଟଫଣ୍ଡ ଟଙ୍କାରେ ଫିଲ୍ମଟି ନିର୍ମାଣ ହୋଇଥିଲା କି ନାହିଁ ସେ ଜାଣିନାହାଁନ୍ତି । ଯଦି ତାଙ୍କ ଅଜ୍ଞାତ ବଶତଃ କେହି ଏହି ଟଙ୍କା ନେଇଥାଏ ତା ହେଲେ ସେ ତାହାକୁ ଫେରାଇ ଦେବେ ବୋଲି ରୋକଠୋକ କହିଛନ୍ତି । ଇଡି ଯଦି ପୁନଃର୍ବାର ତାଙ୍କୁ ଡାକନ୍ତି ତା ହେଲେ ସେ ତଦନ୍ତରେ ସମ୍ପୁର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି । ତ୍ରିବେଣୀ ମହାନ୍ତି ଯେହେତୁ ଫେରାର ଅଛନ୍ତି ସେଥି ପାଇଁ ମୋତେ ଇଡି ପକ୍ଷରୁ ଡକରା ଆସିଥିଲା ।


ସେୟାର କରନ୍ତୁ