ଲାଞ୍ଜିପଲ୍ଲୀରେ କାର ଉପରକୁ ବୋମା ମାଡ଼ ଘଟଣା: ଧରାପଡ଼ିଲେ ଦୁଇ ଆକ୍ରମଣକାରୀ

ଅପରାଧ
ସେୟାର କରନ୍ତୁ

ବ୍ରହ୍ମପୁର: ବ୍ରହ୍ମପୁର ଚିକେନ୍ ରବି ହତ୍ୟାକାଣ୍ଡର ପ୍ରତିଶୋଧ ନେବା ପାଇଁ ଗତ ୮ତାରିଖରେ ପ୍ରସ୍ତୁତ ହୋଇଥିଲା ବ୍ଲ୍ୟୁ-ପିଣ୍ଟ । ତାହା ପୁଣି କୌଣସି ଅଜ୍ଞାତ ସ୍ଥାନରୁ ନୁହେଁ ବରଂ ସୁରକ୍ଷା କର୍ମୀଙ୍କ ନଜରରେ ଥିବା ଜେଲ ଭିତରୁ । ଆଉ ଏସବୁ ପ୍ଲାନର ମାଷ୍ଟରମାଇଣ୍ଡ ସାଜିଥିଲେ ଚିକେନ୍ ରବିର ସହଯୋଗୀ ସୁନିଲ ବେହେରା । ତାଙ୍କ ପ୍ରତିଦ୍ୱନ୍ଦୀ ସୁଶାନ୍ତ ବିଶୋଇଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟେଇବା ପାଇଁ ସେ ରଚିଥିଲେ ଷଡ଼ଯନ୍ତ୍ର । ଅପରେସନକୁ ଅଞ୍ଜାମ ଦେବା ପାଇଁ ବଛା ବଛା ୧୧ଜଣଙ୍କୁ ଏଥିରେ ସାମିଲ କରିଥିଲେ ଅଭିଯୁକ୍ତ ସୁନିଲ ।

ପ୍ଲନ ମୁତାବକ ବୋମା ମାଡ଼ କରି ସୁଶାନ୍ତ ଓ ୪ସହଯୋଗୀଙ୍କୁ ଲହୁଲୁହାଣ ମଧ୍ୟ କରିଥିଲେ । ଯାହା ପୁରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ବ୍ରହ୍ମପୁର ପୁଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ଗତ ୧୧ତାରିଖରେ ସଂପୃକ୍ତ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କିନ୍ତୁ ସେହିଦିନଠାରୁ ଦୁଇ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲେ । ବୋମା ଫିଙ୍ଗିଥିବା ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ କରିଛି ପୁଲିସ । ସେମାନେ ହେଲେ ଶିବ ନାୟକ ଓ ସୁଦାମ ବିଶୋଇ ।

ବ୍ରହ୍ମପୁର ଅତିରିକ୍ତ ଏସପି ତ୍ରିନାଥ ପଟେଲଙ୍କ କହିବା ଅନୁଯାୟୀ, ବୋମାମାଡ଼ ଘଟଣା ପରେ ଶିବ ଓ ସୁଦାମ ଫେରାର ଥିଲେ । ଅଭିଯୁକ୍ତ ଦ୍ୱୟଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଯାହାକୁ ସେ ଓ ବ୍ରହ୍ମପୁର ଏସଡ଼ିପିଓ ନେତୃତ୍ୱ ନେଇଥିଲେ । ପୁଲିସ ଦୁଇ ଅଭିଯୁକ୍ତଙ୍କ ଗତିବିଦ୍ଧି ଉପରେ ଟିକନିକ ନଜର ରଖିଥିଲା । ଗତକାଲି ଶିବ ଓ ସୁଦାମ ଟମଣାଘାଟି ଦେଇ ଯାଉଥିବା ସମୟରେ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଅଚାନକ ଚଢ଼ଉ କରି ସେମାନଙ୍କୁ ଗିରଫ କରିଥିଲା । ଗତ ୮ତାରିଖ ଦିନ ଅଭିଯୁକ୍ତ ଦ୍ୱୟ କାର ଉପରକୁ ବୋମାମାଡ଼ କରିଥିବା ସେମାନେ ପୁଲିସ ସମ୍ମୁଖରେ ସ୍ୱୀକାର କରିଛନ୍ତି ।

ସୂଚନାଯୋଗ୍ୟ, ଗତ ୮ତାରିଖରେ ଚିକେନ୍ ରବି ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ବିଶୋଇ ଓ ୪ସହଯୋଗୀ ଗୋଶାଣୀନୂଆଗାଁ ଥାନାରେ ହାଜିରା ଦେବାକୁ ଯାଉଥିବା ବେଳେ ଲାଞ୍ଜିପଲ୍ଲୀ ଡ଼ିପସାହି ନିକଟରେ ଅତର୍କିତ ବୋମାମାଡ଼ କରିଥିଲେ ଶିବ ଓ ସୁଦାମ । ସେମାନଙ୍କୁ ସହଯୋଗ କରିଥିଲେ ଅନ୍ୟ ୯ଜଣ ଅଭିଯୁକ୍ତ ।


ସେୟାର କରନ୍ତୁ