ଟ୍ରାଫିକ ନିୟମ ଉଲଙ୍ଘନ କରି ଏଜି ଛକରେ ପୁଲିସ ଏଡ଼ିଜିଙ୍କ ପତ୍ନୀ ଓ ଝିଅଙ୍କ ରୁବାବ, ସେପଟେ ଟ୍ରାଫିକ କନଷ୍ଟେବଳ କହିଲେ ସେ ତାଙ୍କ କର୍ତ୍ତବ୍ୟ କରିଛନ୍ତି…

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: କଥାରେ ଅଛି ବଡ଼ବଡିଆଙ୍କ ପାଇଁ ନିୟମ ଛାଡ଼ । ଏମିତି ଏକ ଘଟଣା ଗୁରୁବାର ରାଜଧାନୀର ଏଜି ଛକରେ ଦେଖିବାକୁ ମିଳିଛି । ଏଜି ଛକରେ ଟ୍ରାଫିକ ନିୟମ ଉଲଙ୍ଘନ କରିବାକୁ ନେଇ ଜଣେ କାର୍ଯ୍ୟରତ ଟ୍ରାଫିକ କର୍ମଚାରୀ ଓ ଅତିରିକ୍ତ ପୁଲିସ ଡ଼ିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କ ପତ୍ନୀ ଓ ଝିଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଖାଲି ଏତିକି ନୁହେଁ ନିଜ ଗାଡ଼ି (କାର)ରୁ ଓହ୍ଲାଇ ପୁଲିସ ଏଡ଼ିିଜିଙ୍କ ପତ୍ନୀ ବବିତା ଆଚାର୍ଯ୍ୟ ଓ ଝିଅ ଟ୍ରାଫିକ କର୍ମଚାରୀଙ୍କୁ ରୁବାବ ଦେଖାଇଥିଲେ । ବିଚ ରାସ୍ତାରେ ଟ୍ରାଫିକ କର୍ମଚାରୀଙ୍କୁ ଇଂରାଜୀ ଭାଷାରେ ଭରପୁର ଶୁଣାଇଥିଲେ । ପରେ ନିଜେ ଏଡ଼ିଜି ଶ୍ରୀ ଆଚାର୍ଯ୍ୟ ଟ୍ରାଫିକ ଥାନାରେ ପହଚିଂ ଘଟଣାକୁ ରଫାଦଫା କରିଥିଲେ । ହେଲେ ପୁଲିସ ବଡ଼ ବାବୁଙ୍କ ନିଜ ଲୋକ ହୋଇଥିବାରୁ ସେମାନେ ଫାଇନ ନ ଦେଇ ସେଠାରୁ ଚାଲି ଯାଇଥିବା ଜଣାପଡିଛି । ଭୁଲ ଥାଇ ମଧ୍ୟ ଜଣେ ପୁଲିସ ଏଡ଼ିଜିଙ୍କ ହସ୍ତକ୍ଷପକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନ ପ୍ରାୟ ୫ଟା୧୫ ମିନିଟରେ ପୁଲିସ ଡ଼ିଜିଙ୍କ ପତ୍ନୀ ଓ ଝିଅ କାର ଯୋଗେ ଯାଉଥିବା ବେଳେ ଏଜି ଛକ ଟ୍ରାଫିକ ନିୟମକୁ ଭାଙ୍ଗି ଆଗକୁ ମାଡ଼ି ଆସିଥିଲେ । ଯାହାକୁ ନେଇ ସେଠାରେ କାର୍ଯ୍ୟରତ ଥିବା ଜଣେ ଟ୍ରାଫିକ ମହିଳା କନେଷ୍ଟବଳ ତାଙ୍କୁ ଅଟକାଇଥିଲେ । ଗାଡ଼ି ଅଟକେଇବାକୁ ନେଇ ପୁଲିସ ଏଡ଼ିଜିଙ୍କ ପତ୍ନୀ ଓ ଝିଅ ଟ୍ରାଫିକ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିବା ସହ ଗାଡ଼ିରୁ ଓହ୍ଲାଇ ଏଜି ଛକରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଧମକଚମକ ଦେଇଥିଲେ । ଏହାକୁ କେନ୍ଦ୍ର କରି ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା । ଠିକ୍ ସେହି ସମୟରେ ମୁଖ୍ୟମନ୍ତ୍ରୀ ସଚିବାଳୟରୁ ଆସିବା ପାଇଁ ଟ୍ରାଫିକ କ୍ଲିଅର କରାଯାଉଥିବା ବେଳେ ପୁଲିସ ଏଡ଼ିଜିଙ୍କ ପତ୍ନୀଙ୍କ ତମାସା ପୁଲିସକୁ ଅଡୁଆରେ ପକାଇଥିଲା । ଫଳରେ ପୁଲିସ ବାଧ୍ୟ ହୋଇ ଏଡ଼ିଜିଙ୍କ ପତ୍ନୀ ଓ ଝିଅଙ୍କୁ ଟ୍ରାଫିକ ଥାନାରେ ନେଇ ବସାଇ ଦେଇଥିଲେ ।
ଖବର ପାଇ ପୁଲିସ ଏଡ଼ିଜି ଶ୍ରୀ ଆଚାର୍ଯ୍ୟ ଟ୍ରାଫିକ ଥାନାରେ ପହଚିଂ ଘଟଣାକୁ ରଫାଦଫା କରିଥିବା ଜଣାପଡିଛି । ହେଲେ ଘଟଣାସ୍ଥଳରେ କାର୍ଯ୍ୟରତ ଥିବା ସଂପୃକ୍ତ ମହିଳା ଟ୍ରାଫିକ କନଷ୍ଟେବଳ ପୁଷ୍ପଲତା ଭୋଇ କହିଛନ୍ତି ଯେ, ସେ ତାଙ୍କ କର୍ତ୍ତବ୍ୟ କରିଛନ୍ତି । ପୁଲିସ ନିକଟରେ ଘଟଣା ବିଷୟରେ ସବୁ କଥା କହିଛନ୍ତି ।

ସେୟାର କରନ୍ତୁ