ଭୁବନେଶ୍ୱର:ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚଳିତ ମାସରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ । ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ରହିଛି । ଆସନ୍ତା ସେପ୍ଟେମ୍ବର 27 ଓ 28 ଦୁଇ ଦିନ ଧରି ରହିବାର କାର୍ଯ୍ୟକ୍ରମ ରହିଛି ।ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଭୁବନେଶ୍ୱର ଡିଜି କ୍ୟାମ୍ପରେ ଏକ ଉଚ୍ଚ ସ୍ତରୀୟ ବୈଠକ ବସିଛି ।ପୋଲିସ ଡିଜି ବିଜୟ କୁମାର ଶର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଇଜି ଅପରେସନ୍, ଏଡିଜ କୋଷ୍ଟାଲ ସିକ୍ୟୁରିଟି, ଗୁଇନ୍ଦା ବିଭାଗ, ଗଞ୍ଜାମ ଏସ୍ପି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି । ବୈଠକରେ ରାଷ୍ଟ୍ରପତିଙ୍କ ସୁରକ୍ଷା ଉପରେ ଆଲୋଚନା କରାଯାଉଛି ।
ମିଳିଥିବା ସୂଚନା ଅନୁଯାୟୀ , ଆସନ୍ତା ସେପ୍ଟେମ୍ବର 27 ସନ୍ଧ୍ୟା 6ଟା ସମୟରେ ରାଷ୍ଟ୍ରପତି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଞ୍ଚିବେ ।ଏହା ପରେ ସେ ସିଧାସଳଖ ରାଜଭବନ ଅଭିମୁଖେ ଯିବେ , ସେଠାରେ ରାତ୍ରିଯାପନ କରିବେ । ଏହା ପରେ 28ତାରିଖ ସକାଳ 6ଟା 10ରେ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ବିମାନରେ ଗୋପାଳପୁର ଆର୍ମି ଅଫିସ୍ ଯିବେ ଓ ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସେହିଦିନ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତବର୍ଷ ମାର୍ଚ୍ଚ ମାସରେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିଲେ ।
