ଆରମ୍ଭ ହେଲା ପ୍ରେମ ସପ୍ତାହ,ଜାଣନ୍ତୁ କଣ ରହିଛି ଏଥରର ବିଶେଷ ଆକର୍ଷଣ

Truthink
ସେୟାର କରନ୍ତୁ

ବର୍ଷକର ଅପେକ୍ଷା ପରେ ପାଖେଇ ଆସୁଛି ପ୍ରେମ ଓ ପ୍ରେମୀଯୁଗଳଙ୍କ ଖାସ୍‌ ଦିନ ଭାଲେଣ୍ଟାଇନ୍ସ ଡେ। ଏନେଇ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ରହିଥିବାବେଳେ ଫେବୃୟାରୀ ୭ରୁ ୧୪ ପର୍ଯ୍ୟନ୍ତ ଭାଲେଣ୍ଟାଇନ୍ସ ୱିକ୍‌ ବା ପ୍ରେମ ସପ୍ତାହ ଭାବେ ପାଳନ କରିବାକୁ ଚାଲିଛି ଜୋର୍‌ଦାର ପ୍ରସ୍ତୁତି। ଶୁକ୍ରବାରଠାରୁ ପ୍ରେମ ସପ୍ତାହ ଆରମ୍ଭ ହେଉଥିବାରୁ ପ୍ରେମର ମାସ ଫେବୃୟାରୀ ଓ ପ୍ରେମର ଏହି ସପ୍ତାହକୁ ନିଜ ପ୍ରେମିକା, ପ୍ରେମିକ ପାଇଁ କିଭଳି ଅଭୁଲା ଓ ସ୍ମରଣୀୟ କରିହେବ ସେଥିପାଇଁ ଲାଗିପଡ଼ିଛନ୍ତି ସମସ୍ତେ। ମନର ମଣିଷ ପାଇଁ ଏହି ଦିନକୁ କିଏ କେତେ ସ୍ପେଶାଲ କରିପାରିବ ସେଥିପାଇଁ ବି ଚାଲିଛି ପ୍ରତିଯୋଗିତା।
ଭାଲେଣ୍ଟାଇନ୍ସ ଡେ’ର ସପ୍ତାହେ ପୂର୍ବରୁ ଭୁବନେଶ୍ୱରର ବିଭିନ୍ନ ଫୁଲ ଦୋକାନ, କାର୍ଡ ଓ ଗିଫ୍ଟ ସେଣ୍ଟର, ଶପିଂ ମଲ୍‌, ସିନେମା ହଲ୍‌ ସବୁଠି ଦେଖିବାକୁ ମିଳୁଛି ପ୍ରେମୀଯୁଗଳଙ୍କ ଗହଳି। ଭାଲେଣ୍ଟାଇନ୍ସ ୱିକ୍‌ ଅବସରରେ ଫେବୃୟାରୀ ୭ ତାରିଖକୁ ରୋଜ୍‌ ଡେ, ୮କୁ ପ୍ରପୋଜ୍‌ ଡେ, ୯କୁ ଚକୋଲେଟ୍‌ ଡେ, ୧୦କୁ ଟେଡି ଡେ, ୧୧କୁ ପ୍ରମିଜ୍‌ ଡେ, ୧୨କୁ ହଗ୍‌ ଡେ, ୧୩କୁ କିସ୍‌ ଡେ ଏବଂ ଫେବୃୟାରୀ ୧୪କୁ ଭାଲେଣ୍ଟାଇନ୍ସ ଡେ ବା ପ୍ରେମ ଦିବସ ଭାବେ ପାଳନ କରାଯାଉଥିବାରୁ ଭିନ୍ନ ଭିନ୍ନ ଦିବସ ପାଇଁ ଭିନ୍ନ ପ୍ଲାନିଂ ହେଉଛି। କିଏ ସର୍‌ପ୍ରାଇଜ ପ୍ଲାନିଂ କରି ନିଜ ପ୍ରେମିକା ଓ ପ୍ରେମିକକୁ ଖୁସି କରିବାକୁ ଚାହୁଁଛି ତ ଆାଉ କିଏ ଗିଫ୍ଟ ଓ କାର୍ଡରେ ମନର କଥା ଲେଖି ଉପହାର ଦେବାକୁ ଯୋଜନା କରୁଛି। ପ୍ରେମରେ ପଡ଼ିଲେ ପ୍ରତ୍ୟେକ ଦିନ ଭାଲେଣ୍ଟାଇନ୍ସ ଡେ ମନେହେଲେ ବି ସହରର ଯୁବପିଢ଼ିଙ୍କ ମଧ୍ୟରେ ଏଥିପାଇଁ କିଛି କମ୍‌ ଉତ୍ସାହ ଦେଖିବାକୁ ମିଳୁନି। ସରପ୍ରାଇଜ୍‌ ବୁଲାଠାରୁ ଆରମ୍ଭକରି ରୋମାଣ୍ଟିକ କ୍ୟାଣ୍ଡେଲ ନାଇଟ୍‌ ଡିନର, ମୁଭି ଡେଟ୍‌, ଲଙ୍ଗ୍‌ ଡ୍ରାଇଭ୍‌ ଆଦି ପାଇଁ ଲୁଚାଛପା ପ୍ରସ୍ତୁତି ଚାଲିଛି। କେବଳ ପ୍ରେମିକା ପ୍ରେମିକ ନୁହଁନ୍ତି, ବିବାହିତମାନେ ମଧ୍ୟ ଭାଲେଣ୍ଟାଇନ୍ସ ଡେ’କୁ ସ୍ମରଣୀୟ କରିବାକୁ ପ୍ରସ୍ତୁତି କରିଛନ୍ତି। ପ୍ରେମ ତ ସବୁଦିନ ଥାଏ, ହେଲେ ପ୍ରେମକୁ ସ୍ମରଣୀୟ କରିବାକୁ ଏହି ଦିନ ଅନେକ ଅଭୂଲା ମୁହୂର୍ତ୍ତ ନେଇଆସିଥାଏ ବୋଲି ଅନେକଙ୍କ ମତ ରହିଛି।


ସେୟାର କରନ୍ତୁ