ଶୀତର ଲହରୀ ଜାରି, ଆଠଟି ଜିଲ୍ଲାକୁ ଥରାଇବ ଶୀତ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ହେବ ଶୀତର ପ୍ରକୋପ ଜଣାପଡୁଅଛି । ଏହି ଜାରି ରହିଥିବା ଶୀତ ଲହରୀ ଆଗାମୀ 3 ଦିନ ପର୍ଯ୍ୟନ୍ତ ଜାରି ରହିବ । ଉତ୍ତର-ପଶ୍ଚିମ ଦିଗରୁ କ୍ରମାଗତ ଭାବେ ରାଜ୍ୟ ମଧ୍ୟକୁ ଶୁଷ୍କ ଓ ଥଣ୍ଡା ପବନ ପ୍ରବାହିତ ହେଉଥିବା କାରଣରୁ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଯାହା ଫଳରେ ରାଜ୍ୟରେ ପୂର୍ବ କିଛି ଦିନ ହେବ ଶୀତ ପ୍ରକୋପ ବଢ଼ିବା ସହ ଅନେକ ସ୍ଥାନରେ ପାରଦ 10 ଡିଗ୍ରି ତଳକୁ ଖସି ଯାଇଛି । ଫୁଲବାଣୀର ରାତ୍ରି ତାପମାତ୍ରା ପୁଣି ଥରେ 5 ଡିଗ୍ରି ତଳକୁ ଖସି 4.5 ଡିଗ୍ରିରେ ପହଞ୍ଚିଛି । ଏଥିସହ ଅଧିକାଂଶ ସ୍ଥାନର ସର୍ବନିମ୍ନ ରାତ୍ରି ତାପମାତ୍ରା ସ୍ୱାଭାବିକ ଠାରୁ 3 ରୁ 5 ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସି ଯାଇଛି । ଏଭଳି ସ୍ଥିତି ରାଜ୍ୟରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଆଜି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାରେ ଶୀତ ଲହରୀ ପ୍ରଭାବିତ ହେବା ସହ ରାତ୍ରିର ପାରଦ 10 ଡିଗ୍ରି ତଳକୁ ଖସି ଯିବାର ସମ୍ଭାବନା ରହିଛି । ଏ ସମସ୍ତକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । କେନ୍ଦ୍ରର ସୂଚନା ମୁତାବକ, ଉତ୍ତରା ଥଣ୍ଡା ପବନର ପ୍ରବାହ ମୁଖ୍ୟତଃ ଆଭ୍ୟନ୍ତର ଓଡ଼ିଶାରେ ଅଧିକ ରହିଥିବାରୁ ସେଠାରେ ଶୀତ ଲହରି ପରିସ୍ଥିତି ସୃଷ୍ଟି ହୋଇଛି । ଆସନ୍ତା 2 ରୁ 3 ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ଠାରୁ 3 ରୁ 5 ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ ।


ସେୟାର କରନ୍ତୁ