ରାଜ୍ୟର ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିୟୋଜିତ ଶ୍ରମିକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଙ୍ଗ ଜରିଆରେ ରାଜ୍ୟର ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିୟୋଜିତ ଶ୍ରମିକ ମାନଙ୍କୁ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏଥିରେ ଏପ୍ରିଲରୁ ଜୁନ ମାସ ପର୍ଯ୍ୟନ୍ତ ଏହି ତିନିମାସ ମଧ୍ୟରେ କାମ କରିଥିବା ଶ୍ରମିକ ମାନଙ୍କୁ ସେମାନଙ୍କର ପ୍ରତ୍ୟେକ ଦିନର ମଜୁରି ସହିତ ଆଉ ଅତିରିକ୍ତ 50 ଟଙ୍କା ପ୍ରଦାନ କରାଗଲା । ଏହା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଗଲା । ଏହାଦ୍ବାରା ପ୍ରତ୍ୟେକ ଶ୍ରମିକ 4500 ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ମଜୁରି ପାଇଛନ୍ତି । ସମୁଦାୟ 32 ଲକ୍ଷ ଶ୍ରମିକ 352 କୋଟି ଟଙ୍କାର ସହାୟତା ପାଇଲେ ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ କୋଭିଡର ଦ୍ଵିତୀୟ ଲହରରେ ଗରିବ ଲୋକଙ୍କ ଅସୁବିଧା ଦୂର କରିବା ପାଇଁ 1690 କୋଟି ଟଙ୍କାର ସ୍ଵତନ୍ତ୍ର କୋଭିଡ ସହାୟତା ଘୋଷଣା କରିଛନ୍ତି । ଏଥିରେ ଶ୍ରମିକ ମାନଙ୍କ ପାଇଁ ମଧ୍ୟ 352 କୋଟି ଟଙ୍କାର ସହାୟତା ରହିଛି । MGNREGS ରେ ଗତବର୍ଷ 20 କୋଟି ଶ୍ରମ ଦିବସ ସୃଷ୍ଟି ହୋଇଥିବା ବେଳେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ 7 କୋଟି ଶ୍ରମ ଦିବସ ସୃଷ୍ଟି ହୋଇ ପାରିଛି ଏବଂ ବର୍ଷ ଶେଷ ସୁଧା 25 କୋଟି ଶ୍ରମ ଦିବସ ସୃଷ୍ଟି ପାଇଁ ଲକ୍ଷ ରଖାଯାଇଛି ।

ମୁଖ୍ୟମନ୍ତ୍ରୀ କହିଛଛନ୍ତି ଗତ ଏକ ବର୍ଷ ଧରି ଆମର କୋଭିଡ ଲଢେଇ ମଧ୍ୟରେ ଲକଡାଉନ ସଟଡାଉନ ଯୋଗୁଁ ଗରିବ ଲୋକଙ୍କ ରୋଜଗାର କମିଛି । ତେଣୁ ଲୋକଙ୍କ ଜୀବିକା ଉପରେ ଧ୍ୟାନ ଦେଇ ରାଜ୍ୟ ସରକାର ଚାଷୀ , ଶ୍ରମିକ , ଦୁଗ୍ଧ ଚାଷୀ , ଉଠା ଦୋକାନୀ ସମସ୍ତଙ୍କ ପାଇଁ 1690 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । କରୋନାର ଦ୍ଵିତୀୟ ଲହର ସମ୍ପୁର୍ଣ୍ଣ ଶେଷ ହୋଇନାହିଁ ବୋଲି ଦୋହରାଇ ସେ ସମସ୍ତଙ୍କୁ ଟୀକା ନେବାକୁ ଓ କୋଭିଡ ନିୟମ ମାନିବାକୁ ଅନୁରୋଧ କରିଛନ୍ତି ।


ସେୟାର କରନ୍ତୁ