ଚରଣଜିତ ସିଂହ ଚନ୍ନି ନେଲେ ପଞ୍ଜାବ CM ପଦର ଶପଥ, ପ୍ରଧାନମନ୍ତ୍ରୀ ମୋଦୀ ଜଣାଇଲେ ଅଭିନନ୍ଦନ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ରାଜନୈତିକ ଅସ୍ଥିରତା ମଧ୍ୟରେ ଦଳିତ ନେତା ଚରଣଜିତ ସିଂହ ଚନ୍ନି ସୋମବାର ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ଚନ୍ନିଙ୍କ ଶପଥ ଗ୍ରହଣ ସମାରୋହରେ ପହଞ୍ଚିଥିଲେ । ରାଜ ଭବନରେ ଆୟୋଜିତ ଏକ ସରଳ ସମାରୋହରେ ପଞ୍ଜାବ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ ଚନ୍ନିଙ୍କୁ ଶପଥ ଗ୍ରହଣ କରାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚରଣଜିତ ସିଂହ ଚନ୍ନିଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।

ଚନ୍ନିଙ୍କ ବ୍ୟତୀତ ସୁଖଜିନ୍ଦର ସିଂହ ରାନ୍ଧୱା ଏବଂ ଓମ୍ ପ୍ରକାଶ ସୋନି ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଉଭୟଙ୍କୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ପଞ୍ଜାବର ଦାୟିତ୍ୱରେ ଥିବା ହରିଶ ରାୱତ, ପିସିସି ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ସମେତ କଂଗ୍ରେସ ବିଧାୟକମାନେ ଯୋଗ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଏକ ଟୁଇଟ୍‌ରେ କହିଛନ୍ତି, “ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାରୁ ଚରଣଜିତ ସିଂହ ଚନ୍ନିଙ୍କୁ ଅଭିନନ୍ଦନ । ପଞ୍ଜାବ ସରକାରଙ୍କ ସହ ମିଶି ଆମେ ରାଜ୍ୟ ତଥା ରାଜ୍ୟବାସୀଙ୍କ ଉନ୍ନତି ପାଇଁ କାର୍ଯ୍ୟ ଜାରି ରଖିବୁ । “

ଚନ୍ନି ଦଳିତ ଶିଖ ସମ୍ପ୍ରଦାୟରୁ ଆସିଛନ୍ତି ଏବଂ ଅମରିନ୍ଦର ସରକାରରେ ବୈଷୟିକ ଶିକ୍ଷା ମନ୍ତ୍ରୀ ଥିଲେ । ସେ ପଞ୍ଜାବର ପ୍ରଥମ ଦଳିତ ନେତା ଯିଏକି ରାଜ୍ୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । କୁହାଯାଉଛି ଯେ କଂଗ୍ରେସ ହାଇକମାଣ୍ଡ ଅନୁସୂଚିତ ଜାତିର ଚନ୍ନିଙ୍କୁ ସିଏମ କରାଇ ଗୋଟିଏ ତୀର ଦ୍ୱାରା ଅନେକ ଟାର୍ଗେଟ କରିଛନ୍ତି । ତେବେ ବଡ଼ ପ୍ରଶ୍ନ ହେଉଛି ମୁଖ୍ୟମନ୍ତ୍ରୀଙ୍କ ପରିବର୍ତ୍ତନ ପରେ ପଞ୍ଜାବ କଂଗ୍ରେସର ରାଜନୈତିକ ଅସନ୍ତୋଷ ଶେଷ ହେବ କି?

ଚରଣଜିତ ସିଂହ ଚନ୍ନି ଚମକୌର ସାହିବ ନିର୍ବାଚନମଣ୍ଡଳୀରୁ ତିନିଥର ବିଧାୟକ । ରବିବାର ଦିନ ସେ କଂଗ୍ରେସ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ । 2015 ରୁ 2016 ପର୍ଯ୍ୟନ୍ତ ପଞ୍ଜାବ ବିଧାନସଭାରେ ଚନ୍ନି ବିରୋଧୀ ଦଳର ନେତା ଥିଲେ ।


ସେୟାର କରନ୍ତୁ