ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ

ରାଜ୍ୟ
ସେୟାର କରନ୍ତୁ

ଝାରସୁଗୁଡ଼ା: ବରିଷ୍ଠ ବିଜେଡି ନେତା ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଆଉ ନାହାନ୍ତି । ହୃଦଘାତରେ ଆଜି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କୁ ଝାରସୁଗୁଡାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 63 ବର୍ଷ ହୋଇଥିଲା ।

ତେବେ କହିବାକି, ସେ ଝାରସୁଗୁଡାରୁ 3 ଥର ଓ ବ୍ରଜରାଜନଗରରୁ ଥରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଥରେ ରାଜ୍ୟସଭାକୁ ମଧ୍ୟ ମନୋନିତ ହୋଇଥିଲେ । 2007 ରୁ 2009 ପର୍ଯ୍ୟନ୍ତ ବିଧାନସଭାର ବାଚସ୍ପତି ଦାୟିତ୍ବ ମଧ୍ୟ ତୁଲାଇଥିଲେ । 2004 ରୁ 2007 ପର୍ଯ୍ୟନ୍ତ ସରକାରୀ ଦଳ ମୁଖ୍ୟ ସଚେତକ ମଧ୍ୟ ଥିଲେ । 2014 ରୁ 2019 ପର୍ଯ୍ୟନ୍ତ ପଶ୍ଚିମଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଦାୟିତ୍ବ ମଧ୍ୟ ତୁଲାଇଥିଲେ ।

ସୂଚନା ମୁତାବକ, କିଶୋର ମହାନ୍ତି ଆଜି ସକାଳୁ ନିଜ ନିର୍ବାଚନ ମଣ୍ଡଳିରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ‌ ଦେଇଥିଲେ । ସନ୍ଧ୍ୟାରେ ତାଙ୍କର ହୃଦ୍‌ଘାତ ହେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା ।

ତାଙ୍କର ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଟ୍ୱିଟ୍‌ କରି ସେ କହିଛନ୍ତି- ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଆମ ଦଳର ଜଣେ ଦକ୍ଷ ନେତା ତଥା ଜନପ୍ରତିନିଧି ଭାବେ ତାଙ୍କ କାର୍ଯ୍ୟ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି ।


ସେୟାର କରନ୍ତୁ