ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ କୋଭିଡ ସମୀକ୍ଷା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ ଗତ କିଛି ଦିନ ହେଲା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଆଜି କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗର ମୁଖ୍ୟ ପଦାଧିକାରୀ ଓ ଜିଲ୍ଲାପାଳ ମାନଙ୍କ ସହିତ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରି କୋଭିଡ ପ୍ରସ୍ତୁତିକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା 10 ଦିନ ମଧ୍ୟରେ ରାଜ୍ୟର ସରକାରୀ ତଥା ବେସରକାରୀ ସମସ୍ତ କୋଭିଡ ହସ୍‌ପିଟାଲ ଗୁଡିକୁ ପ୍ରସ୍ତୁତ କରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଦ୍ବିତୀୟ ଲହରୀର ସର୍ବୋଚ୍ଚ ସ୍ତରରେ ଯେତିକି ଶଯ୍ୟା ଓ ଆଇସିୟୁର ଆବଶ୍ୟକତା ହୋଇଥିଲା, ଅତି କମ୍‌ରେ ସେତିକି ପରିମାଣର ଶଯ୍ୟା ଓ ଆଇସିୟୁ ପ୍ରସ୍ତୁତ କରି ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଜନସାଧାରଣଙ୍କ ଟୀକାକରଣ ଲକ୍ଷ୍ୟ ପୂରଣ ପାଇଁ କ୍ୟାମ୍ପେନ ମୋଡ୍‌ରେ କାମ କରିବା ପାଇଁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ 15 ରୁ 18 ବର୍ଷ ବର୍ଗର ପିଲାମାନଙ୍କ ଟୀକାକରଣ ଉପରେ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାରା ଦେଶରେ ଓମିକ୍ରନ୍‌ ଭାରିଆଣ୍ଟ ଦ୍ରୁତ ଗତିରେ ସଂକ୍ରମଣ କରୁଛି ।

ଅଳ୍ପ ଦିନ ମଧ୍ୟରେ ରୋଗୀଙ୍କ ସଂଖ୍ୟା ଦୁଇ ଗୁଣ ହୋଇଯାଉଛି । ଓଡିଶାରେ ମଧ୍ୟ ଓମିକ୍ରନ ରୋଗୀଙ୍କ ସଂଖ୍ୟା ବଢିବା ଆରମ୍ଭ ହୋଇଛି । ତେଣୁ ଜନସାଧାରଣଙ୍କୁ ବିଶେଷ ଅସୁବିଧାରେ ନ ପକାଇ କୋଭିଡର ଉତ୍ତମ ପରିଚାଳନା ପାଇଁ ଆମକୁ ତୁରନ୍ତ ପଦକ୍ଷେପ ନେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇ କହିଥିଲେ ।


ସେୟାର କରନ୍ତୁ