ଫ୍ରେବୃୟାରୀ 16ରୁ ପଞ୍ଚାୟତ ଭୋଟ, ଦେଖନ୍ତୁ ନିର୍ବାଚନ କାର୍ଯ୍ୟସୂଚୀ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର । ଭୁବନେଶ୍ବର ଗୀତଗୋବିନ୍ଦ ସଦନରେ ରାଜ୍ୟ ନିର୍ବାଚନ କମିସନ୍ ଏକ ସାମ୍ବାଦିକ ସମ୍ମିଳନୀ କରି ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଏଥିସହ ଆଜିଠାରୁ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି । ଘୋଷଣା ମୁତାବକ, କୋଭିଡ୍ କଟକଣା ଭିତରେ ସକାଳ 7ଟାରୁ ମଧ୍ୟାହ୍ଣ 1ଟା ଯାଏ ମତଦାନ କରାଯାଇପାରିବ । ପାଞ୍ଚଟି ପର୍ଯ୍ୟାୟରେ ମତଦାନ ହେବ । ଫେବ୍ରୁଆରି 16, 18, 20, 22 ଓ 24 ତାରିଖରେ ନିର୍ବାଚନ ହେବ । ସେହିପରି ଭୋଟ ଗଣତି ଫେବ୍ରୁଆରି 26, 27 ଓ 28 ତାରିଖରେ ହେବ । ଆଜିଠାରୁ ଲାଗୁ ହୋଇଥିବା ଆଚରଣବିଧି ଫ୍ରେବୃୟାରୀ 28 ତାରିଖ ଯାଏ ବଳବତ୍ତର ରହିବ ।

ନିର୍ବାଚନ କମିଶନରଙ୍କ ସୂଚନାଅନୁସାରେ, ନିର୍ବାଚନ ପାଇଁ ଜାନୁଆରୀ 17 ତାରିଖରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଏହା ଜାନୁୟାରୀ 21 ଯାଏଁ ଚାଲିବ । 22ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ସେହିପରି 25 ତାରିଖ ଯାଏଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସୁଯୋଗ ମିଳିବ । ଜାନୁୟାରୀ 28ରେ ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା ।

ମାର୍ଚ୍ଚ 11ରେ -ନାଏବ ସରପଞ୍ଚ ନିର୍ବାଚନ
ମାର୍ଚ୍ଚ 12ରେ-ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ
ମାର୍ଚ୍ଚ 23ରେ –ଉପାଧ୍ୟକ୍ଷ ନିର୍ବାଚନ
ମାର୍ଚ୍ଚ 13ରେ-ଜିଲ୍ଲା ପରିଷଦ ଅଧ୍ୟକ୍ଷ
ମାର୍ଚ୍ଚ 25ରେ- ଉପାଧ୍ୟକ୍ଷ ନିର୍ବାଚନ

ରାଜ୍ୟରେ ମୋଟ୍ 91, 913ଟି ୱାର୍ଡରେ ନିର୍ବାଚନ ହେବ । 6794ଟି ପଞ୍ଚାୟତରେ ସରପଞ୍ଚ, 6793 ପଞ୍ଚାୟତ ସମିତି ପାଇଁ ଏବଂ 853 ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ଅନୁଷ୍ଠିତ ହେବ । 433 ଜିଲ୍ଲା ପରିଷଦ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।

ଏଥର ପଞ୍ଚାୟତ ନିର୍ବାଚନ ପାଇଁ ମୋଟ ଭୋଟର ହେଉଛନ୍ତି 2 କୋଟି 79 ଲକ୍ଷ । ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ପାଇଁ 15ଟା ସରପଞ୍ଚପ୍ରାର୍ଥୀଙ୍କ ପାଇଁ 32 ପ୍ରକାର, ସମିତି ସଭ୍ୟ ପାଇଁ 19 ପ୍ରକାର ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ 19 ପ୍ରକାରର ଚିହ୍ନ ଜାରି ହୋଇଛି । ଏଣେ ୱାର୍ଡ ମେମ୍ବର ପାଇଁ ହଳଦିଆ, ସରପଞ୍ଚ ପାଇଁ ଗୋଲାପି ଓ ଜିଲ୍ଲା ପରିଷଦ ପାଇଁ ଧଳା ବ୍ୟାଲଟ ପେପର ବ୍ୟବହାର ହେବ ।

ସେହିପରି କରୋନା ଗାଇଡଲାଇନ୍ ପାଇଁ ରାଲି, ସମାବେଶ ଆଦି ହୋଇପାରିବ ନାହିଁ । କେବଳ ଘରକୁ ଘର ବୁଲି ପ୍ରାର୍ଥୀମାନେ କ୍ୟାମ୍ପେନିଂ କରିପାରିବେ । ଏହାସହ କୌଣସି ସ୍ଥାନରେ ଶୋଭାଯାତ୍ରା ମଧ୍ୟ ହେବ ନାହିଁ । ବିଜୟୀ ହେଲା ପରେ ଦଳମାନେ ସମାବେଶ ବା ବିଜୟୀ ଶୋଭାଯାତ୍ରା କରିପାରିବେ ନାହିଁ । କେବଳ ଆରଟିପିସିଆର କିମ୍ବା ଆଣ୍ଟିଜେନ୍ ଟେଷ୍ଟ୍ ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତିଙ୍କୁ ପୁଲିଂ ବୁଥ ମଧ୍ୟକୁ ପ୍ରବେଶ ଅନୁମତି ମିଳିବ । ଏହାସହ ଡବଲ ଡୋଜ୍ ଟିକା ନେଇଥିବା ମଧ୍ୟ ଜରୁରୀ । କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଗାଇଡ଼ଲାଇନ୍‌ ପ୍ରସ୍ତୁତ କରାଯାଇଛି । କୋଭିଡ଼ ସ୍ଥିତିକୁ ଦେଖି ସରକାରଙ୍କ ସହିତ ଆଲୋଚନା ହୋଇଛି ।


ସେୟାର କରନ୍ତୁ