ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ପରଲୋକ

ରାଜ୍ୟ ସିନେମା
ସେୟାର କରନ୍ତୁ

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଓ ଟେଲିଭିଜନ ଜଗତର ପ୍ରସିଦ୍ଧ ଲୋକପ୍ରିୟ ଅଭିନେତା ମିହିର ଦାସ ଆଉ ନାହାନ୍ତି । କଟକର ଏକ ଘରୋଇ ହସ୍ପିଟାଲରେ ଆଜିି ଅପରାହ୍‌ଣରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ମିହିର ଦାସ । ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ 2021 ଡିସେମ୍ବର ମାସ 8 ତାରିଖରେ କଟକର ଏକ ଘ‌ରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଏହାପର ଠାରୁ ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ବୟସ ମାତ୍ର 63 ବର୍ଷ ହୋଇଥିଲା। କିଡନି ବ୍ୟାଧିରେ ପୀଡ଼ିତ ମିହିର ଦାସଙ୍କ ଏକାଧିକ ଅଙ୍ଗ ଅକାମୀ ହୋଇ ପଡ଼ିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।

ମିହିର ଦାସ 1979 ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ମିହିର 1966 ଫେବୃୟାରୀ 2 ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିଲେ । ସେ ପ୍ରାୟ 150ଟିରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ‘ଲକ୍ଷ୍ମୀ ପ୍ରତିମା’, ‘ପୁଅ ମୋର ଭୋଳା ଶଙ୍କର’,’ଟାର୍ଗେଟ୍‌’, ‘ଗୁଣ୍ଡା’, ‘ମାଇଁ ଲଭ୍‌ ଷ୍ଟୋରୀ’, ‘ପହିଲି ରଜ’, ‘ଚୋରି ଚାରି ମନ ଚୋରି’, ‘ବାଜି’, ‘ଧଉଳି ଏକ୍ସପ୍ରେସ୍‌’ ଅନ୍ୟତମ । ସେ ଅଭିନୟ ପାଇଁ ଏକାଧିକ ପୁରସ୍କାର ପାଇଛନ୍ତି । 1999ରେ ‘ବିଧାତା’ ଓ 2005ରେ ‘ଫେରିଆ ମୋ’ ସୁନା ଭଉଣୀ’ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ମିଳିଥିଲା । ଏଭଳି ଜଣେ ବହୁ ପ୍ରତିଭାଧାରୀ କଳାକାରଙ୍କ ବିୟୋଗରେ ସାରା ଓଡ଼ିଶା ସ୍ତବ୍ଧ ହୋଇଯାଇଛି । କେବଳ କଳା ଜଗତ ନୁହେଁ ସବୁବର୍ଗରେ ଶୋକର ଛାୟା ଖେଳିଯାଇଛି ।

କହିବାକି, ଅଭିନୟରେ ସଫଳତାର ଶୀର୍ଷରେ ପହଞ୍ଚିବା ପରେ ସେ ରାଜନୀତିକୁ ଆସିଥିଲେ । 2014 ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ସେ ବିଜୁ ଜନତା ଦଳରେ ଯୋଗ ଦେଇ ଦଳ ଲାଗି ପ୍ରଚାର କରିଥିଲେ। ଏହାପରେ ସେ ବିଜେଡି ପରିତ୍ୟାଗ କରି 2018 ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। 2019 ନିର୍ବାଚନରେ ସେ ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର ମଇଦାନକୁ ଓହ୍ଲାଇ ଥିଲେ ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଲେଖିଛନ୍ତି, ବର୍ଷୀୟାନ ଅଭିନେତା ମିହିର ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ କଳା ଜଗତରେ ସେ ଛାଡିଯାଇଥିବା ଅଭିନୟର ଛାପ ତାଙ୍କୁ ସର୍ବଦା ଅମର କରି ରଖିବ। ତାଙ୍କ ବିୟୋଗ ଓଡ଼ିଆ କଳାଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।


ସେୟାର କରନ୍ତୁ