ଭୋଟ ଗଣନା କାର୍ଯ୍ୟ କେମିତି ହେ‌ବ ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ସାରିବାକୁ ଯାଉଛି । ଶେଷ ପର୍ଯ୍ୟାୟ ନିର୍ବାଚନ ପରେ କେମିତି ହେବ ଭୋଟ ଗଣତି, ସେ ବିଷୟରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ । ତେବେ ପୂର୍ବରୁ 4ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହୋଇସାରିଥିବା ବେଳେ ଆସନ୍ତାକାଲି 25 ଜିଲ୍ଲାର 131 ଜିଲ୍ଲା ପରିଷଦ ଜୋନ ପାଇଁ ନିର୍ବାଚନ ହେବ । 131 ଜିଲ୍ଲା ପରିଷଦ ଜୋନରେ 520 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।

ଆସନ୍ତା 26, 27, 28ରେ ଭୋଟ ଗଣନା ହେବାକୁ ଥିବା ବେଳେ ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସଚିବ ରବୀନ୍ଦ୍ର ନାଥ ସାହୁଙ୍କ ସୂଚନା ଅନୁସାରେ ଜିଲ୍ଲା ପରିଷଦ ଜୋନ୍ ଅନୁଯାୟୀ ଭୋଟ ଗଣନା କରିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରତି ଜୋନରେ ଯେତିକି ଗ୍ରାମ ପଞ୍ଚାୟତ ରହିଛି ସେତିକି ଟେବୁଲ ରହିବ ଏବଂ ନନ ଷ୍ଟପ ଗଣନା ହେବା ସହ ଓଡ଼ିଆ ବର୍ଣ୍ଣମାଳା ଅନୁଯାୟୀ ପଞ୍ଚାୟତଗୁଡିକୁ ଟେବୁଲ ଦିଆଯିବ । ଗୋଟିଏ ଟେବୁଲରେ ଜଣେ କାଉଣ୍ଟିଙ୍ଗ ସୁପରଭାଇଜର, ଦୁଇ ଜଣ ଆସିଷ୍ଟାଣ୍ଡ କାଉଣ୍ଟିଙ୍ଗ ଅଫିସର ଏବଂ ଜଣେ ଗ୍ରୁପ ଡ଼ି କର୍ମଚାରୀ ରହିବେ । କେଉଁ ଟିମ କେଉଁ ଟେବୁଲରେ ବିସିବେ ସେ ନେଇ ଗୁଲା ପଡିବ ।

ଜଣେ ପ୍ରାର୍ଥୀଙ୍କ ଜଣେ ଏଜେଣ୍ଟ ରହିବେ । ଯେତେଜଣ ପ୍ରାର୍ଥୀ ସେତିକି ଟ୍ରେ ଟେବୁଲରେ ରଖାଯିବା ସହ ଆଉ ଗୋଟିଏ ଟ୍ରେ ନାକଚ ପାଇଁ ରହିବ । ବାଲଟ ପେପରକୁ ପ୍ରଥମେ ରଙ୍ଗ ଅନୁସାରେ ଅଲଗା କରାଯାଇ ପ୍ରଥମେ ୱାର୍ଡ ମେମ୍ବର ପରେ ସରପଞ୍ଚ ଓ ତା’ପରେ ସମିତି ସଭ୍ୟ ଏବଂ ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣନା ହେବ । ପର୍ଯ୍ୟାୟକ୍ରମେ ବ୍ଲକ କାର୍ଯ୍ୟାଳୟରେ ଫଳାଫଳ ଘୋଷଣା କରାଯିବ ବୋଲି କହିଛନ୍ତି ରବୀନ୍ଦ୍ର ନାଥ ସାହୁ ।


ସେୟାର କରନ୍ତୁ