ବଢ଼ିଲାଣି ଖରା, ଅସହ୍ୟ ତାତି, ଆଗକୁ କଲବଳ କରିବ କି ଖରା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ଵର : ଏବେଠୁ ଖରାର ପ୍ରକୋପ ଦେଖାଗଲାଣି । ମାର୍ଚ୍ଚ ଆରମ୍ଭରୁ ତାତି ଅସହ୍ୟ ଜଣାପଡୁଛି । ତେବେ ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡିଶାରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେଲାଣି । ଆଗାମୀ ଦିନରେ ତାତି ଆହୁରି ବଢିବା ସହ ଏହା ଜନଜୀବନକୁ ଆସ୍ତବ୍ୟସ୍ତ କରିବ ଏହା ଜଳଜଳ ଜଣାପଡିଲାଣି ।

ତେବେ ରାଜ୍ୟର ତତଲାଗଡା କୁହାଯାଉଥିବା ଟିଟିଲାଗଡ଼ରେ ପ୍ରବଳ ଖରା ଜନଜୀବନକୁ ଅସହ୍ୟ କଲାଣି । ପୂରା ବଲାଙ୍ଗିର ଜିଲ୍ଲାରେ ଏବେ ଏହି ଅବସ୍ଥା । ସକାଳ 10 ଟା ରୁ ଖରାର ପ୍ରକୋପ ଦେଖିବାକୁ ମିଳୁଛି । ଲୋକ ଆବଶ୍ୟକ କାମ ନ ଥିଲେ ବାହାରିବାକୁ ବାହାରୁ ନାହାନ୍ତି । ପୌର ନିର୍ବାଚନ ଥିଲେ ବି ନେତାଏ ସଂଧ୍ୟା ସମୟରେ ପ୍ରଚାର କରିବାକୁ ଉଚିତ୍ ମଣୁଛନ୍ତି । ତାତି ଆଗକୁ ଆହୁରି ବଢିବ ଓ ଅସହ୍ୟ ହେବ ବୋଲି ଅଶଙ୍କା କରାଗଲାଣି ।

ଟିଟିଲାଗଡର ତାପମାତ୍ରା ଆଜି 37.7 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗିରର ତାପମାତ୍ରା 37.5 ଡିଗ୍ରୀ ରେକର୍ଡ ରହିଛି । ବାହାରୁ ଆସୁଥିବା ଯାତ୍ରୀଙ୍କ ପାଇଁ ପାନୀୟ ଜଳ ସହ ଆଶ୍ରୟ ସ୍ଥଳର ସୁବିଧା କରିବାକୁ ପ୍ରଶାସନକୁ ଦାବି କରିଛନ୍ତି ଲୋକେ । ସମାନ ସ୍ଥିତି ମଧ୍ୟ ଦେଖିବାକୁ ମିଳିଛି ସମ୍ବଲପୁରରେ । ଜିଲ୍ଲାରେ ଦିନର ତାପମାତ୍ରା ରହିଛି 36.6 ଡିଗ୍ରୀ । ଆଗକୁ ଏହା ବଢିବାର ଆଶଙ୍କା ରହିଛି ।

ରାଜଧାନୀ ଭୁବନେଶ୍ବରରେ ଆଜି ଦିନ ସାଢ଼େ 2ଟା ବେଳେ ତାପମାତ୍ରା 36 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ତାପମାତ୍ରା ଅଧିକ ହେଲାଣି । ଆସନ୍ତା 16 ଏବଂ 17 ତାରିଖ ପାଇଁ 6 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । 16 ତାରିଖ ପାଇଁ ବଲାଙ୍ଗୀର, ସୋନପୁର ଏବଂ ବୌଦ୍ଧ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହିଟ୍ ୱେଭ୍ ନେଇ ୟେଲୋ ୱାର୍ଣ୍ଣିଂ ରହିଛି । ସେହିଭଳି 17 ତାରିଖ ପାଇଁ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହିଟ୍ ୱେଭ୍ ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେଣୁ ଏହି ସମୟରେ ସତର୍କତା ଅବଲମ୍ବନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।

ବର୍ତମାନ ରାଜ୍ୟର ସର୍ବାଧିକ ତାପମାତ୍ରା 36 ଡିଗ୍ରୀ ରହୁଥିବା ବେଳେ ଆଗାମୀ ଦୁଇ ଦିନରେ ଏହା 40 ଡିଗ୍ରୀ ଛୁଇଁବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।


ସେୟାର କରନ୍ତୁ