ଆଉ କିଛି ଦିନ ପରେ ରଥଯାତ୍ରା, ରଥଖଳାରେ ଚାଲିଛି ଜୋରସୋରରେ ରଥ ନିର୍ମାଣ କାର୍ଯ୍ୟ

ରାଜ୍ୟ
ସେୟାର କରନ୍ତୁ

ପୁରୀ: ଆଉ କିଛି ଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ତିନିରଥକୁ ଆସିବେ ତିନି ଦିଅଁ । ସେଥିପାଇଁ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ତିନି ରଥର ଚକ-ଅଖ ଡେରା କାର୍ଯ୍ୟ ସମ୍ପନ୍ନ ହୋଇଛି । ତିନି ରଥର ପାଞ୍ଚ ଦଣ୍ଡା ଏବଂ ପାର୍ଶ୍ବ ଦଣ୍ଡାରେ ଗୁଜ, ଜଳଯନ୍ତ୍ର, ମୁହାଁଟ ଏବଂ କୁଡୁକା ଲାଗି ପରେ ନମ୍ବରିଂ ହୋଇ ଖୋଲା ଯାଇଛି ।

ସେହିଭଳି ତିନି ରଥର ଗରଗରା ଚଉପଟ ସରି ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ତିନି ରଥର ଦୁଇଟି ଲେଖାଁଏ ଢ଼ମକ ଚଉପଟ କାର୍ଯ୍ୟ ଜାରି ରଖିଛନ୍ତି କାରିଗର । ଦେବଦଳନ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ କରତି ସେଵକ ମାନେ ଜାରି ରଖିଥିବା ବେଳେ ନନ୍ଦିଘୋଷ ରଥର ପୋଲ ଗୟଳ ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିଭଳି ତାଳଧ୍ଵଜ ରଥର ପୋଲ ଗୟଳ ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି ।

ସେପଟେ ରୂପକାର ସେବକ ମାନେ ତିନି ରଥର ଗୁଜରେ ରୂପ ଖୋଦେଇ ଶେଷ ପରେ ତିନିରଥର ସିଂହାସନରେ ଡାଳି ଲତା ଏବଂ କୁମ୍ଭ ଖୋଦେଇ କରୁଛନ୍ତି । ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ତିନି ରଥର କମାର ସେବକ ମାନେ ଗୟଳକଣ୍ଟା, ଗରଗରା କଣ୍ଟା ପରେ ଭୂଇଁ କଣ୍ଟା, ଯୋଖା କଣ୍ଟା, ଚଣାକ ଏବଂ ବାଗିଆ କଣ୍ଟା ନିର୍ମାଣ କରୁଛନ୍ତି ।


ସେୟାର କରନ୍ତୁ