ଉଦ୍ଧବ ଠାକରେ କ୍ୟାବିନେଟର ବଡ ନିଷ୍ପତ୍ତି, ଔରଙ୍ଗାବାଦର ଏବଂ ଓସମାନାବାଦର ନାମ ବଦଳିଲା

ଦେଶବିଦେଶ
ସେୟାର କରନ୍ତୁ

ମୁମ୍ବାଇ: ଚୌକି ସଙ୍କଟ ମଧ୍ୟରେ ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର ନେଲେ ବଡ଼ ନିଷ୍ପତ୍ତି । ଆଜି କ୍ୟାବିନେଟ ବୈଠକରେ ଔରାଙ୍ଗାବାଦର ନାମ ବଦଳାଇ ସମ୍ଭାଜୀ ନଗର ଏବଂ ଓସମାନାବାଦକୁ ଧାରାଶିବ ନଗର ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ଉଦ୍ଧବ ସରକାର । ଏଥି ସହିତ ନଭିମୁମ୍ବାଇ ବିମାନବନ୍ଦରର ନାମ ମଧ୍ୟ ଡିବି ପାଟିଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି । ରାଜନୈତିକ ସଙ୍କଟ ସମୟରେ ଉଦ୍ଧବ ସରକାର ଏହି ନିଷ୍ପତ୍ତି ନେଇ ‘ହିନ୍ଦୁତ୍ୱ କାର୍ଡ’ ଖେଳିଥିବା କୁହାଯାଉଛି ।

ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ଏମିତି ସମୟରେ ନେଇଛନ୍ତି, ଯାହାକି ଗୁରୁବାର ରାଜ୍ୟପାଳ ଫ୍ଲୋର ଟେଷ୍ଟର ସମ୍ମୁଖୀନ ହେବାକୁ କହିଛନ୍ତି । ତେବେ ଶିବସେନା ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ଯଦି ସର୍ବୋଚ୍ଚ ଅଦାଲତର ନିଷ୍ପତ୍ତି ସପକ୍ଷରେ ନ ଆସେ, ତେବେ ଉଦ୍ଧବ ଠାକରେଙ୍କୁ ଚେୟାର ହରାଇବାକୁ ପଡିପାରେ ।

ମହାରାଷ୍ଟ୍ରର ଔରାଙ୍ଗାବାଦକୁ ସମ୍ଭାଜୀ ନଗର ନାମରେ ନାମିତ କରିବାକୁ ଶିବସେନା ଦୀର୍ଘ ଦିନ ଧରି ଦାବି କରିଆସୁଥିଲା । ଶିବସେନା ଏବଂ ଉଦ୍ଧବ ଠାକରେ ଅନେକ ସମୟରେ ଔରାଙ୍ଗାବାଦକୁ ସମ୍ଭାଜୀ ନଗର ବୋଲି ସମ୍ବୋଧନ କରିଆସୁଥିଲେ । ଏଥିସହିତ ଓସମାନାବାଦକୁ ଧାରାଶିବ ନଗର ନାମରେ ନାମିତ କରିବାକୁ ମଧ୍ୟ ଶିବସେନା ଦାବି କରିଥିଲା । ବିଦ୍ରୋହୀଙ୍କୁ ନିଜ ସହ ସାମିଲ କରିବା ପାଇଁ ଉଦ୍ଧବ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି ।

ଅନ୍ୟ ପକ୍ଷରେ କ୍ୟାବିନେଟ ବୈଠକରେ ଉଦ୍ଧବ ଠାକରେ କହିଛନ୍ତି ଯେ ଯଦି ଅନାସ୍ଥା ଭୋଟ୍ ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆମ ବିରୋଧରେ ଯାଏ ତେବେ ମୁଁ ଇସ୍ତଫା ଦେବି । ତାଙ୍କର ଏଭଳି ଘୋଷଣା ପରେ ଆଗକୁ ମହାରାଷ୍ଟ୍ରର ରାଜନୈତିକ ବାତାବରଣ ଆହୁରି ରୋମାଞ୍ଚକର ହେବ ବୋଲି ଚର୍ଚ୍ଚା ହେଉଛି ।


ସେୟାର କରନ୍ତୁ