ବିଦ୍ୟାଳୟ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ଗ୍ରାମବାସୀ

ରାଜ୍ୟ
ସେୟାର କରନ୍ତୁ

ରିପୋର୍ଟ- ନିର୍ମଳଚନ୍ଦ୍ର ଗଡନାୟକ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ପୃଥକ ପୃଥକ ଭାବେ ଦୁଇଟି ବିଦ୍ୟାଳୟର ସମସ୍ୟାକୁ ନେଇ ଗ୍ରାମବାସୀ ଓ ଅଭିଭାବକ ମିଶି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥି ମଧ୍ୟରୁ ବାରିହାପୁର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଚକ୍ରଧରପୁର ଗ୍ରାମରେ ଆଜକୁ 1985 ମସିହାରୁ ରହିଥିବା ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟକୁ ସରକାର ବନ୍ଦ କରିଦେଇଥିବାରୁ ଏହାକୁ ନେଇ ଗ୍ରାମବାସୀ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି । ଉକ୍ତ ବିଦ୍ୟାଳୟଟି ବର୍ତ୍ତମାନ ଗ୍ରାମ ଠାରୁ ପ୍ରାୟ ପାଞ୍ଚ କିଲୋମିଟର ଦୂରରେ ଥିବା ବାରିହାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ କୋମଳମତି ପିଲା ମାନେ ଅଧ୍ୟୟନ କରିବାକୁ ଆସିବାକୁ ପଡୁଛି ।

ଏହି ଗ୍ରାମ ଠାରୁ ବିଦ୍ୟାଳୟକୁ ଆସିବାକୁ ହେଲେ ଘଞ୍ଚ ଜଙ୍ଗଲ ସାଙ୍ଗକୁ ଜଙ୍ଗଲି ହାତୀ, ମାଙ୍କଡ ଅନ୍ୟ ବିଷାକ୍ତ ସରୀସୃପ ମାନଙ୍କ ସମେତ ଏହି ରାସ୍ତାରେ ନାଳ, ଖାଲଢିପ ରାସ୍ତା ସାଙ୍ଗକୁ ନୂତନ ରେଳପଥ ଅତିକ୍ରମ କରିବାକୁ ପଡ଼ିଥାଏ । ଯାହାକି ଏହି ସମସ୍ୟା ନେଇ ଅଭିଭାବକ ନିଜର ପିଲା ମାନଙ୍କୁ ପାଠପଢିବାକୁ ବିଦ୍ୟାଳୟକୁ ଆସିବାକୁ ବାରଣ କରିଛନ୍ତି । ଏହି ସମସ୍ୟା ଉପରେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ପ୍ରତିକାର ନହେବାରୁ ବାଧ୍ୟ ହୋଇ ଗ୍ରାମର 25 ଜଣ ଛାତ୍ର ଛାତ୍ରୀ ଅଭିଭାବକ, ଗ୍ରାମବାସୀ ମିଶି ପରଜଙ୍ଗ ବ୍ଲକ କାର୍ଯ୍ୟାଳୟରେ ସୋମବାର ହୋଇଥିବା ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଅଭିଯୋଗ କରିଛନ୍ତି । ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ କହିଥିବା ଜଣାପଡିଛି ।

ସେହିପରି ଅନ୍ୟ ଗୋଟିଏ ବିଦ୍ୟାଳୟ ହେଉଛି ଉକ୍ତ ବ୍ଲକର ଅନ୍ତିମ ପଞ୍ଚାୟତ ଜୟପୁରା-କାଟେଣି । ଏହି ଗ୍ରାମଟି ରାଜସ୍ବ ଗ୍ରାମରେ ଅବସ୍ଥିତ । ଏଠାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି । ବିଦ୍ୟାଳୟଟି ଅବ୍ୟବସ୍ଥା ଘେରରେ ଥିବା ବେଳେ ଉକ୍ତ ବିଦ୍ୟାଳୟର ଶିକ୍ଷକମାନେ ପାଠ ପଢା ଠିକ୍ ଭାବରେ କରନ୍ତି ନାହିଁ ଏବଂ ପାଠ ପଢାରେ ଅବହେଳା କରିଥାନ୍ତି । ଏତଦ୍ ବ୍ୟତୀତ ବିଦ୍ୟାଳୟ ପରିସରରେ ଶିକ୍ଷକ ମାନେ ମଦ୍ୟପାନ କରୁଥିବା ଅଭିଯୋଗ ଫର୍ଦରେ ଦର୍ଶାଯାଇଛି । ଏପରି ସ୍ଥଳେ ବିଦ୍ୟାଳୟର କୋମଳମତି ପିଲାଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି । ବିଦ୍ୟାଳୟର ଏପରି ସମସ୍ୟାକୁ ନେଇ ତୁରନ୍ତ ଶିକ୍ଷକ ମାନଙ୍କୁ ଅନ୍ୟତ୍ର ବଦଳି କରିବାକୁ ଗ୍ରାମବାସୀ ଓ ଅଭିଭାବକ ମିଶି ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି ।


ସେୟାର କରନ୍ତୁ