ପରଜଙ୍ଗ : ରବିବାର ଖାତରେ ପଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୁକ୍ତାପସି ଗାଁ କୁମ୍ଭାର ସାହି ନିକଟରେ ଥିବା ଏକ ଖାତରେ । ମୃତ ବୃଦ୍ଧ ଜଣକ ହେଲେ ଜଗବନ୍ଧୁ ସେନାପତି ବୟସ (95) ।
ଖବର ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମୁକ୍ତାପସି ଗାଁ କୁମ୍ଭାର ସାହି ନିକଟରେ ଥିବା ଏକ ଖାତରେ ଜଣେ ବୃଦ୍ଧଙ୍କର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ମୃତ ବୃଦ୍ଧ ଜଣଙ୍କ ପ୍ରତେକ ଦିନ ଝାଡା ଫେରିବାକୁ ତାଙ୍କ ବାଡି ପାଖକୁ ଯାଆନ୍ତି, ଆଉ ସେଠାରେ ମଧ୍ୟ ସେ କିଛି ସମୟ ଅତିବାହିତ କରନ୍ତି । ବାଡ଼ି ଭିତରେ ତାଙ୍କର ନିଜର ଖାତ ରହିଛି ।

ପରିବାର ଲୋକଙ୍କ କହିବା ଅନୁଯାୟୀ, ଆଜି ମଧ୍ୟ ସେଭଳି ଭାବରେ ସେ ଏହି ବାଡି଼କୁ ଯାଇଥିଲେ, ଆସିବା ସମୟ ଅତିବାହିତ ହୋଇଥିବା ଜାଣି ତାଙ୍କ ଜ୍ୱାଇଁ ବାଡି଼କୁ ଖୋଜିବାକୁ ଯାଇଥିଲେ । ଏହାପରେ ସେଠାରେ ସେ ତାଙ୍କ ଶ୍ୱଶୁର ପାଣି ଭିତରେ ମରି ଭାସୁଥିବା ଦେଖିବାକୁ ପାଇଥିଲେ । ଏ ଖବରକୁ ଜ୍ୱାଇଁ ପରିବାର ଲୋକ ଏବଂ ସାହି ପଡିଶା ଲୋକଙ୍କୁ ସଙ୍ଗେ ସଙ୍ଗେ ଜଣାଇଥିଲେ ଏବଂ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ଖବର ଦେଇଥିଲେ । ତେବେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖାତ ଭିତରୁ ଶବକୁ ଉଦ୍ଧାର କରିଥିଲା ।

ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ଖାତ ଭିତରୁ ଉଦ୍ଧାର ହୋଇଥିବା ମୃତଦେହକୁ ଜବତ କରିଛି । ଏହା ସହ ଶବ ବ୍ୟବଛେଦ ପାଇଁ ନିକଟସ୍ଥ କାମାକ୍ଷାନଗର ମେଡିକାଲକୁ ପଠାଇଥିବା ଜଣାପଡିଛି ।