ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଠିକା ନିଯୁକ୍ତିର ଯୁଗ ଶେଷ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ରାଜ୍ୟରେ ଲାଗୁ ହୋଇଥିବା ଚୁକ୍ତି ଭିତ୍ତିକ ଚାକିରୀ ବ୍ୟବସ୍ଥା ଉଚ୍ଛେଦ କରିବା ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି ।

ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଆପଣମାନଙ୍କର ଆଶୀର୍ବାଦରେ 2000 ମସିହାରୁ ରାଜ୍ୟବାସୀଙ୍କ ସେବା କରିବାର ସୁଯୋଗ ପାଇପାରିଛି । ମହାବାତ୍ୟା ପର ସ୍ଥିତି ଓ ଦୁର୍ବଳ ଆର୍ଥିକ ଅବସ୍ଥା ତାଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା । ସେତେବେଳେ ରାଜ୍ୟ ଓଭର ଡ୍ରାଫ୍ଟରେ ଚାଲୁଥିଲା । ନିତିଦିନ ଖର୍ଚ୍ଚ ପାଇଁ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା ।

ତେବେ ଓଡିଶା ଅର୍ଥନୀତି ପାଇଁ ଏହା ଏକ କଳା ସମୟ ଥିଲା । ଏହି ସମୟରେ ରାଜକୋଷ ଖାଲି ଥିଲା । ଅର୍ଥନୀତି ଉପରେ ବହୁତ ଚାପ ଥିଲା । ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି, କୃଷି, ଜଳସେଚନ ଆଦି ବିଭିନ୍ନ କ୍ଷେତ୍ରରେ ଆମେ ବହୁତ ପଛୁଆ ଥିଲୁ । ବନ୍ୟା, ବାତ୍ୟା ଓ ମରୁଡି ଲାଗି ରହିଥିଲା । ଗରିବୀ ମଧ୍ୟ ବହୁ ଅଧିକ ଥିଲା । ସୀମିତ ସମ୍ବଳ ଭିତରେ ଏସବୁ କ୍ଷେତ୍ରରେ ଉନ୍ନତି ଆଣିବା ଥିଲା ଆମ ପାଇଁ ସବୁଠାରୁ ବଡ ପ୍ରାଥମିକତା ଥିଲା।

ପ୍ରତିଦିନ ମୋ ମନରେ ଚିନ୍ତା ଥିଲା, କେବେ ପରିସ୍ଥିତିରେ ଉନ୍ନତି ଆସିବ ଏବଂ ଆମ ପିଲାମାନେ ରେଗୁଲାର ନିଯୁକ୍ତି ପାଇବେ ? ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, 2013ରୁ ଆମେ ଚୁକ୍ତିଭିତ୍ତିକ ନିଯୁକ୍ତି ଆରମ୍ଭ କରିଥିଲୁ । ଏହା ମଧ୍ୟ ମୋ ପାଇଁ ଏକ କଷ୍ଟକର ନିଷ୍ପତ୍ତି ଥିଲା । ଏବେ ଆମ ଅର୍ଥନୀତିରେ ଉନ୍ନତି ଆସିଛି । ବିକାଶ କ୍ଷେତ୍ରରେ ଓଡିଶା ସାରା ଦେଶରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି ।

ରାଜ୍ୟରୁ ଠିକା ନିଯୁକ୍ତିର ଯୁଗ ଶେଷ ହୋଇଛି । ରାଜ୍ୟର ସମସ୍ତ ଚୁକ୍ତିଭିତ୍ତିିକ କର୍ମଚାରୀଙ୍କ ନିଯୁକ୍ତି ନିୟମିତ ହେବ । ଏହା ଦ୍ବାରା 57 ହଜାରରୁ ଊର୍ଦ୍ଧ୍ବ କର୍ମଚାରୀ ଉପକୃତ ହେବେ । ରାଜ୍ୟ ସରକାର ଏଥି ପାଇଁ ରାଜ୍ୟ ସରକାରଙ୍କ ପାଣ୍ଠିରୁ 13 ଶହ କୋଟି ଟଙ୍କା ଅଧିକ ଖର୍ଚ୍ଚ କରିବେ । ତେବେ ଏନେଇ ଆସନ୍ତାକାଲି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ ।


ସେୟାର କରନ୍ତୁ