ମୁକ୍ତାପସି ଉ.ପ୍ରା ସ୍କୁଲରେ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଗୁରୁବାର ମୁକ୍ତାପସି ନୋଡାଲ ଉ.ପ୍ରା ବିଦ୍ୟାଳୟ ଠାରେ ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ (ସୁରଭି) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏବେ ସାରା ରାଜ୍ୟରେ ଏହି ଭଳି କାର୍ଯ୍ୟକ୍ରମମାନ ଚାଲୁରହିଛି । ଏହି ସୁରଭି କାର୍ଯ୍ୟକ୍ରମରେ ନାଚ, ଗୀତ, ଅଭିନୟ, ଡ୍ରଇଁ, ପେଣ୍ଟିଙ୍ଗ, ସୃଜନଶୀଳ ଲିଖନ, ପ୍ରବନ୍ଧ ଭଳି ଅନେକ ବିଷୟମାନ ରହିଅଛି । ବାସ୍ତବରେ ସୁରଭି କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ପିଲାମାନଙ୍କ ଠାରେ ଥିବା ଲୋକାୟିତ ପ୍ରତିଭାର ଉନ୍ମୋଚିତ କରିବା ଏବଂ ସେମାନଙ୍କୁ ଆଗକୁ ଅଗ୍ରସର ହେବା ନିମନ୍ତେ ଉତ୍ସାହିତ କରିବା କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଅଟେ ।

ଏହା ଏବେ କ୍ଲଷ୍ଟର ସ୍ତରୀୟ ଚାଲୁ ରହିଅଛି । ଆଗକୁ ବ୍ଲକ ସ୍ତରୀୟ ‘ସୁରଭି’ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରୁ ବିଭିନ୍ନ ବିଭାଗରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ ପିଲାମାନେ ବ୍ଲକ, ପରେ ଜିଲ୍ଲା ଏବଂ ତାପରେ ରାଜ୍ୟ ସ୍ତରୀୟ କମ୍ପିଟେସନରେ ଭାଗନେଇ ଉତ୍ତୀର୍ଣ ହେବେ । ଯାହାକି ଭବିଷ୍ୟତରେ ଉତ୍ତୀର୍ଣ ଛାତ୍ରଛାତ୍ରୀମାନଙ୍କର କାର୍ଯ୍ୟରେ ଆସିବ ବୋଲି କୁହାଯାଉଛି ।

ସୂଚନା ଅନୁଯାୟୀ, ମୁକ୍ତାପସି କ୍ଲଷ୍ଟରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ 11ଟି ସ୍କୁଲ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରେ 2ଟି ହାଇସ୍କୁଲ, 3ଟି ୟୁପି ସ୍କୁଲ ଏବଂ 6ଟି ପ୍ରାଇମେରି ସ୍କୁଲ ଅନ୍ତର୍ଭୁକ୍ତ ଥିଲା । ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।

ତେବେ ଏହି କାର୍ଯ୍ୟକ୍ରମରେ ମନୋଜ ବିଶ୍ୱାଳ (CRCC) ସଭାପତିତ୍ବ ଏବଂ ଏହାର ନେତୃତ୍ୱ ନେଇଥିଲାବେଳେ ମୁକ୍ତାପସି ନୋଡାଲ ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତରଣୀ କୁମାର ସିଂହ ମଞ୍ଚ ପରିଚାଳନା କରିଥିଲେ । ସେଇଭଳି ଶିକ୍ଷକ ସରୋଜ କୁମାର ସାହୁ, ଶିକ୍ଷକ ପ୍ରଦୀପ ଷେଣ୍ଢ, ଶିକ୍ଷୟତ୍ରୀ ସବିତା ମିଶ୍ର, ଶିକ୍ଷୟିତ୍ରୀ ମୋହିନୀ ମିଶ୍ର, ସୁମିତ୍ରା ସ୍ୱାଇଁ, ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏବଂ ଏମାନଙ୍କ ବ୍ୟତୀତ କ୍ଲଷ୍ଟରର ଅନ୍ୟାନ୍ୟ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ସହଯୋଗ ମଧ୍ୟ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ।

ଏହି ଅବସରରେ ମୁକ୍ତାପସି ନୋଡାଲ ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତରଣୀ କୁମାର ସିଂହ କହିବା ମୁତାବକ, ସମାଜରେ ଅନେକ ଲୋକମାନଙ୍କ ପାଖରେ ବହୁ ପ୍ରତିଭା ଲୋକାୟିତ ହୋଇ ରହିଯାଉଛି, ତାହା ବାହାରକୁ ବାହାରି ପାରୁନାହିଁ, ଏହା ସୁଯୋଗର ଅଭାବରୁ ହେଉ ଅବା କୌଣସି କାରଣ ବଶତଃ ହେଉ । ଏହାକୁ ଯଦି ଆମେ ତର୍ଜମା କରିବା ତେବେ ଏହି ସୁରଭି କାର୍ଯ୍ୟକ୍ରମ ମାଧ୍ୟମରେ ଛୋଟ ସମୟରୁ ପିଲାମାନଙ୍କ ଠାରେ ଥିବା ଲୋକାୟିତ ପ୍ରତିଭା ବା କଳା ସାମ୍ନାକୁ ଆସିପାରିବ, ଯାହାଦ୍ୱାରା ପିଲାମାନେ ନିଜ ନିଜ କ୍ଷେତ୍ରରେ ଆଗକୁ ବଢିବାର ଏକ ପ୍ରଚେଷ୍ଟା ପାଇପାରିବେ । ଏହା ଶିକ୍ଷା ବିଭାଗର ଏକ ଭଲ ପଦକ୍ଷେପ ଏବଂ ଏହା ମଧ୍ୟ ସରକାରଙ୍କର ଏକ ଭଲ ପଦକ୍ଷେପ ବୋଲି କୁହାଯାଇପାରିବ ।


ସେୟାର କରନ୍ତୁ