ବିଜେଡ଼ି ସରକାର ସମୟରେ ଏକ ଘରୋଇ କମ୍ପାନୀକୁ ଅନୁକମ୍ପା ଦେବା ପଛର ରହସ୍ୟ କ’ଣ? ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ ଦେଶବିଦେଶ
ସେୟାର କରନ୍ତୁ

ଭୁବନେଶ୍ୱର, ୨ ଅକ୍ଟୋବର ୨୦୨୬ – ଓଡ଼ିଶାରେ ଏମ୍‌ଏମ୍‌ଡିଆର୍ ଆଇନ ଏବଂ ପ୍ରାକୃତିକ ସମ୍ପଦ ଯୋଗାଣକୁ ନେଇ ବିଜୁ ଜନତା ଦଳ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବାରମ୍ବାର ମିଛ କଥା କହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି, ଯାହା ଅତ୍ୟନ୍ତ ହାସ୍ୟାସ୍ପଦ । ଓଡ଼ିଶାର ଜନସାଧାରଣ ଏତେ ବୋକା ନୁହଁନ୍ତି ଯେ, ଏକା ମିଛକୁ ବାରମ୍ବାର କହିଲେ ତାହାକୁ ସତ ବୋଲି ଗ୍ରହଣ କରିନେବେ। ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ଗତକାଲିର ରାୟରୁ ସ୍ପଷ୍ଟ ହୋଇଛି ଯେ, ଗତ ବିଜେଡି ସରକାର କିଭଳି ଭାବେ ଘରୋଇ କମ୍ପାନୀମାନଙ୍କୁ ଘଣ୍ଟ ଘୋଡ଼ାଇ ଅହେତୁକ ଅନୁକମ୍ପା ଦେବାର ବାଟ ତିଆରି କରିଥିଲେ । ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ପର୍କରେ ଏକ୍ସରେ ପୋଷ୍ଟ କରିଛନ୍ତି ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ମାନ୍ୟବର ଓଡ଼ିଶା ହାଇକୋର୍ଟ ଏକ ନିର୍ଦ୍ଦିଷ୍ଟ ଘରୋଇ ଶିଳ୍ପ ସଂସ୍ଥାକୁ ୨୦୦୪ ମସିହାରେ ବିଜୁ ଜନତା ଦଳ ସରକାର ଦ୍ୱାରା ଦିଆଯାଇଥିବା ୧୫୦ ନିୟୁତ ଟନ୍ ବକ୍ସାଇଟ୍ ଯୋଗାଣ ଦାବିକୁ ସ୍ପଷ୍ଟ ଭାବେ ଖାରଜ କରିଦେଇଛନ୍ତି । ପ୍ରାକୃତିକ ସମ୍ପଦକୁ ନେଇ ପୁରୁଣା ପ୍ରତିଶ୍ରୁତି ଦେଖାଇ ଚାଲୁଥିବା ଆଇନକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ମାନ୍ୟବର ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। କେନ୍ଦ୍ରର ମୋଦୀ ସରକାରଙ୍କ ସ୍ୱଚ୍ଛ ଏମ୍‌ଏମ୍‌ଡିଆର୍ ଆଇନ ଏବଂ ଏମସିଆର୍ ୨୦୧୬ ନିୟମ ୪୫ ସଂଶୋଧନ ପରେ ବକ୍ସାଇଟ୍‌ର ହାରାହାରି ବିକ୍ରୟ ମୂଲ୍ୟରେ କନଭର୍ସନ ଫ୍ୟାକ୍ଟର ଲାଗୁ ହୋଇଥିଲା। ଏହାଦ୍ୱାରା ବକ୍ସାଇଟ୍‌ର ଦର ପ୍ରତି ଟନ୍‌ରେ ୭୫୦ ଟଙ୍କାରୁ ୧୭୦୭ ଟଙ୍କାକୁ ବୃଦ୍ଧି ପାଇଥିଲା। ଏହି ନିୟମ ଯୋଗୁଁ ଓଡ଼ିଶା ଖଣି ନିଗମ (ଓଏମସି) ଲାଭବାନ୍ ହେବା ସହ ଓଡ଼ିଶାକୁ ରୋୟାଲଟି, ଡିଏମ୍‌ଏଫ୍ (ଡିଏମଏଫ) ଏବଂ ଏନ୍‌ଏମ୍‌ଇଟି ଜରିଆରେ ହଜାର ହଜାର କୋଟି ଟଙ୍କାର ବର୍ଦ୍ଧିତ ରାଜସ୍ୱ ମିଳିଥାନ୍ତା।

କିନ୍ତୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ୧ ଫେବ୍ରୁଆରୀ ୨୦୨୦ (ଚିଠି ନଂ-୧୦୪୪) ଏବଂ ୭ ଅକ୍ଟୋବର ୨୦୨୦ (ଚିଠି ନଂ-୮୫୬୯/SM) ରେ ପୃଥକ ଚିଠି ଲେଖି କନଭର୍ସନ ଫ୍ୟାକ୍ଟରକୁ କମାଇ ଘରୋଇ କମ୍ପାନୀ ଚାହୁଁଥିବା ସର୍ବନିମ୍ନ ଦର ଲାଗୁ କରିବା ପାଇଁ ଅନୁରୋଧ କରିଥିଲେ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ରାଜ୍ୟ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଏକ ନିର୍ଦ୍ଦିଷ୍ଟ ଘରୋଇ କମ୍ପାନୀକୁ ଅନୁକମ୍ପା ଦେବା ପାଇଁ ଏହି ଚିଠି ଲେଖାଯାଇଥିଲା, ଯାହାକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଥିଲେ।

ଏହି ସନ୍ଦର୍ଭରେ ଶ୍ରୀ ପ୍ରଧାନ ନବୀନ ବାବୁଙ୍କୁ ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ରଖିବାକୁ ଦାବି କରିଛନ୍ତି । ରାଜ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ନିୟମକୁ କାର୍ଯ୍ୟକାରୀ ନକରି, ତାହାକୁ ପୁନର୍ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବା ପଛରେ ଆପଣଙ୍କର ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା? କାହା ସ୍ୱାର୍ଥରେ ଏବଂ କାହାକୁ ସୁହାଇବା ପାଇଁ ଆପଣ ଏପରି ପଦକ୍ଷେପ ନେଇଥିଲେ? ଗୋଟିଏ ନିର୍ଦ୍ଦିଷ୍ଟ ଘରୋଇ କମ୍ପାନୀ ଉପରେ ଦୀର୍ଘ ଦିନ ଧରି ପ୍ରାୟ ୫,୪୦୦ କୋଟି ଟଙ୍କା ବକେୟା ପଡ଼ିରହିବା ଆପଣଙ୍କ ଭୁଲ୍ ନିଷ୍ପତ୍ତିର ପରିଣାମ ନୁହେଁ କି? ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ, ରାଜ୍ୟର ଲକ୍ଷ ଲକ୍ଷ କୋଟି ଟଙ୍କାର ରାଜସ୍ୱ କ୍ଷତି କରି ଏକ ଘରୋଇ କମ୍ପାନୀକୁ ଅହେତୁକ ଅନୁକମ୍ପା ଦେବା ପଛର ପ୍ରକୃତ ରହସ୍ୟ କ’ଣ? ନବୀନ ବାବୁ ବାସ୍ତବତାକୁ ସ୍ୱୀକାର କରି ଓଡ଼ିଶାବାସୀଙ୍କ ନିକଟରେ ସତ୍ୟ ପ୍ରକାଶ କରନ୍ତୁ ଏବଂ ବିଭ୍ରାନ୍ତିକର ତଥ୍ୟ ଦେବା ବନ୍ଦ କରନ୍ତୁ ବୋଲି ଶ୍ରୀ ପ୍ରଧାନ ସ୍ପଷ୍ଟ କରିଛନ୍ତି ।


ସେୟାର କରନ୍ତୁ