ଜିଲ୍ଲାପାଳଙ୍କ ଅଭିଯୋଗ ଜନଶୁଣାଣି ଶିବିର ଅନୁଷ୍ଠିତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟଳୟ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଜନଶୁଣାଣିରେ ବିଭିନ୍ନ ବିଭାଗରୁ ମୋଟ 173 ଟି ଅଭିଯୋଗ ଆସିଥିଲା । ତେବେ ସେଥିମଧ୍ୟରୁ ମାତ୍ର 47 ଟି ଅଭିଯୋଗର ସମାଧାନ ହୋଇଥିବା ଜଣାପଡିଛି ।

ତେବେ ଏହି ଶିବିରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତନ୍ମୟ କୁମାର ଦରୱାନ ,କାମାକ୍ଷାନଗର ଉପଜିଲ୍ଳାପାଳ ଜ୍ୟୋତି ଶଙ୍କର ସାହୁ, ବ୍ଲକ ବିଡ଼ିଓ ସଂଗ୍ରାମ କେଶରୀ ଭୋଳ, ତହସିଲଦାର ଖଗେଶ୍ବର ପାତ୍ର, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା, ଉପାଧ୍ୟକ୍ଷା ଯଶଶ୍ଵିନି ରାଉତ, ଜିଲ୍ଲାପରିଷଦ ସଦସ୍ୟ ନିରାକାର ପ୍ରଧାନଙ୍କ ସମେତ ଜିଲ୍ଲା ସ୍ତରର ସମସ୍ତ ବିଭାଗୀୟ ଅଧିକାରୀ ଓ ବ୍ଲକର ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ ।

ସୂଚନା ଥାଉକି, ଆଜିର ଏହି ଅଭିଯୋଗରେ ଅନେକ ଗୁଡିଏ ପ୍ରସଙ୍ଗ ରହିଥିଲା । ଏଥି ମଧ୍ୟରୁ ପରଜଙ୍ଗ ବଜାର ମଧ୍ୟରେ ବ୍ୟବସାୟୀଙ୍କ କେତେକ ଦୋକାନ ଘର ଗୁଡ଼ିକ ଭଙ୍ଗା ଯାଇ ନୂତନ ବସଷ୍ଟାଣ୍ଡ ହେବ ବୋଲି ଦୀର୍ଘ ଦିନ ହେବ ଭଙ୍ଗା ଯାଇଥିଲେ ସୁଦ୍ଧା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ନହେବାରୁ ବଣିକ ସଂଘର କମିଟି ସଦସ୍ୟ ଏକତ୍ରିତ ହୋଇ ଏ ସମ୍ବନ୍ଧେ ଆପତ୍ତି ଅଭିଯୋଗ କରିଥିଲେ । ଯାହାକି ଏହା ତୁରନ୍ତ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ପାଇଥିଲେ ।

ସେଇଭଳି ଏହା ପରେ ସରାଙ୍ଗ ଅନନ୍ତ ଶୟନ ହାଇସ୍କୁଲ ଠାରୁ ନବୋଦୟ ବିଦ୍ୟାଳୟ ପର୍ଯ୍ୟନ୍ତ ସର୍ଭିସ୍ ରାସ୍ତା ଲାଗି ଜଟିଆ ଯୁବ ସଂଗଠନ ପକ୍ଷରୁ ବାରମ୍ବାର ଦାବୀ ସହିତ ଜାତୀୟ ରାଜପଥ 53 ଉପରେ ଧାରଣା ଦେଇଥିଲେ ମଧ୍ୟ କାର୍ଯ୍ୟକାରୀ ନହେବାରୁ ପୁନର୍ବାର ଯୁବ ସଂଗଠନ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା । ତେବେ ଏହା ସହିତ ଆବାସ, ବାର୍ଦ୍ଧକ୍ୟ ଭତ୍ତା ଓ ଅନ୍ତଦ୍ବୟ ଯୋଜନାରେ ଅନେକ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଥିବା ନେଇ ଅନେକ ଲୋକ ଅଭିଯୋଗ କରିବାକୁ ଆସିଥିବା ଦେଖିବାକୁ ମିଳିଥିଲା ।


ସେୟାର କରନ୍ତୁ