ଦନ୍ତା ଆକ୍ରମଣରେ 2 ମୃତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଶନିବାର ଭୋର ସମୟରେ ଦନ୍ତା ଆକ୍ରମଣରେ ଅଲଗା ଅଲଗା ଗ୍ରାମର ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ମୃତ ଦୁଇ ଜଣ ହେଲେ ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ଅନ୍ତର୍ଗତ ଡିହଡୋଳ ଫରେଷ୍ଟ ସେକ୍ସନର ଖାଲପାଳ ଗ୍ରାମର ଦଳିତ ସାହିର ଅଲେଖ ନାଏକ (73) ବର୍ଷ ଏବଂ ଗଡପରଜଙ୍ଗ ଗ୍ରାମର ବାରି ନାୟକ (72) ବର୍ଷ ।

ସୂଚନା ଅନୁଯାୟୀ, ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ଅନ୍ତର୍ଗତ ଖାଲପାଳ ଗ୍ରାମର ଦଳିତ ସାହିର ଅଲେଖ ନାଏକ ନାମକ ବୃଦ୍ଧ ଘର ପାଖ ପଡିଆକୁ ଭୋର୍ ସମୟରେ ଶୌଚ କରିବାକୁ ଯାଉଥିବା ବେଳେ ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ । ଫଳରେ ଦନ୍ତା ଆକ୍ରମଣରେ ଅଲେଖଙ୍କ ପ୍ରାଣବାୟୁ ସେହିଠାରେ ଉଡ଼ିଯାଇଥିଲା ।

ସେହିପରି ଦ୍ଵିତୀୟ ଘଟଣା ହେଉଛି ଉକ୍ତ ସେକ୍ସନର ଗଡପରଜଙ୍ଗ ଗଣ୍ଡତଇଳା ସାହି ନିକଟସ୍ଥ । ଗଡପରଜଙ୍ଗ ଗ୍ରାମର ଦାଶରଥି ନାୟକଙ୍କର ଗଣ୍ଡତଇଳା ସାହି ନିକଟରେ ଏକ ଫାର୍ମ ହାଉସ ରହିଛି । ସେହି ଫାର୍ମ ହାଉସରେ ନିଜର ବାଡ଼ି ବଗିଚା ଠାରୁ ଆରମ୍ଭ କରି ଗୃହପାଳିତ ପଶୁ ପକ୍ଷୀ ମାନଙ୍କୁ ଜଗିବା ପାଇଁ ଦାଶରଥି ଓ ତାଙ୍କ ଧର୍ମପତ୍ନୀ ବାରି ନାୟକ ସେଠାରେ ରୁହନ୍ତି । ଦୃର୍ଭାଗ୍ୟର ବଶତଃ ଶନିବାର ଭୋର୍ ସମୟରେ ବାରି ନାୟକ ବୃଦ୍ଧା ଶୌଚ କରିବାକୁ ଯାଉଥିବା ବେଳେ ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ, ଯାହାକି ଦନ୍ତାଟି ଶୁଣ୍ଢରେ ଫୋପାଡି ଦେବାରୁ ତାଙ୍କର ସେଠାରେ ଶୋଚନୀୟ ମୃତ୍ୟୁ ଘଟିଥିଲା । ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ଅଧିକ ତଦନ୍ତ ଚଳାଇଛି । ଉଭୟ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ମେଡିକାଲ ପଠାଯାଇଛି ।


ସେୟାର କରନ୍ତୁ