ଅଲିଭ୍‌ ରିଡଲେ କଇଁଛଙ୍କ ସୁରକ୍ଷା ନିମନ୍ତେ ବ୍ୟାପକ ପଦକ୍ଷେପ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଅଲିଭ୍‌ ରିଡଲେ କଇଁଛ ଆମ ରାଜ୍ୟର ପର୍ଯ୍ୟଟନ ଦୃଷ୍ଟି କୋଣରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। କଇଁଛ ଓ ଅଣ୍ଡାକୁ ସୁରକ୍ଷା ଦେବା ପାଇଁ ପ୍ରତି ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଚଳିତ ବର୍ଷ ନଭେମ୍ବର ପହିଲାରୁ ଅଲିଭ୍ ରିଡଲେ କଇଁଛର ସୁରକ୍ଷା ଓ ସଂରକ୍ଷଣ ପାଇଁ ଋତୁଭିତ୍ତିକ କାମ ଆରମ୍ଭ ହୋଇସାରିଛି।

କେନ୍ଦ୍ରୀୟ ମନିଟରିଂ ୟୁନିଟ୍ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟରେ କାର୍ଯ୍ୟ କରୁଛି। ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ 66ଟି ପାଟ୍ରୋଲିଂ କ୍ୟାମ୍ପ, ଭିଏଚ୍ଏଫ୍, ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ସୁବିଧା ସହିତ କାର୍ଯ୍ୟ କରିବ। ବନ ବିଭାଗ, ଭାରତୀୟ ତଟରକ୍ଷୀ ବାହିନୀ, ମତ୍ସ୍ୟ ବିଭାଗ ଏବଂ ମେରାଇନ୍ ପୁଲିସର ସହଯୋଗରେ ମିଳିତ ଭାବେ ସମୁଦ୍ରରେ ପାଟ୍ରୋଲିଂ କରାଯିବ।

ଉପକୂଳ ବନ ବିଭାଗ ଡିଭିଜନକୁ ପାଣ୍ଠି ଆବଣ୍ଟନ କରାଯାଇଛି। ପ୍ରତିବର୍ଷ ନଭେମ୍ବର ପହିଲାରୁ ମେ’ 31 ତାରିଖ ପର୍ଯ୍ୟନ୍ତ ଧାମରା, ଦେବୀ ଓ ଋଷିକୂଲ୍ୟା ନଦୀ ମୁହାଣ ନିକଟବର୍ତ୍ତୀ ଅଞ୍ଚଳରେ 20 କିଲୋମିଟର ମଧ୍ୟରେ ମୋଟରଚାଳିତ ଜାହାଜ, ଟ୍ରଲର ଏବଂ ଯାନ୍ତ୍ରିକ ମାଛଧରା କୌଶଳ ଦ୍ୱାରା ମାଛ ଧରିବା ନିଷେଧ କରାଯାଇଛି। ଗହୀରମଥା ଅଭୟାରଣ୍ୟ କ୍ଷେତ୍ରରେ ଏହି କଟକଣା ବର୍ଷସାରା ଜାରି ରହିଛି।


ସେୟାର କରନ୍ତୁ