ନବୋଦୟ ବିଦ୍ୟାଳୟ ବଣମଲ୍ଲୀଙ୍କ ପ୍ରତିଭାକୁ ପ୍ରସ୍ଫୁଟିତ କରିବାର ପ୍ରୟୋଗଶାଳା ହୋଇଛି- ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ
ସେୟାର କରନ୍ତୁ

ଅନୁଗୋଳ : ଗୋଟିଏ ପିଲାର ପାଣ୍ଡିତ୍ୟ, ଦକ୍ଷତା ଓ ଗୁଣ କେଉଁ ବୟସରେ ବଢିବ, ତାହା କହିହେବ ନାହିଁ ବରଂ ନବଦୋୟ ବିଦ୍ୟାଳୟ ଦେଶର ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଯେଉଁ ଜୀବନ ମୂଲ୍ୟ ଦେଉଅଛି, ତାହା ଆଦର୍ଶ ଓ ମହତ୍ତ୍ୱପୂର୍ଣ୍ଣ ବୋଲି ରବିବାର ଅନୁଗୋଳ ପିଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଫୁଟବଲ ଫର୍ ସ୍କୁଲ ଅଧୀନରେ ଫୁଟବଲ ବିତରଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଆୟୋଜିତ ସ୍କୁଲର ପୁରାତନ ଛାତ୍ର ସଂସଦର ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୯୮୭ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟ ଜିଲ୍ଲାର ଗରିବ ଓ ମଧ୍ୟବିତ୍ତ ବର୍ଗର ଛାତ୍ରଛାତ୍ରୀ ମାନେ ପାଠ ପଢୁଛି । ଏହି ସ୍କୁଲ ବଣମଲ୍ଲୀଙ୍କ ପ୍ରତିଭାକୁ ପ୍ରସ୍ଫୁଟିତ କରିବାର ଏକ ପ୍ରୟୋଗଶାଳା ହୋଇଛି । ଆଜି ୬ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟବରାଦରେ ଶିଳାନ୍ୟାସ ହୋଇଥିବା ୭୫୦ ସିଟ୍ କ୍ଷମତା ବିଶିଷ୍ଟ ବହୁମୁଖୀ ସଭାଗୃହ ଏବଂ ଇଣ୍ଟିଗ୍ରେଟେଡ୍ ସ୍ପୋର୍ଟ୍ସ କମ୍ପଲେକ୍ସ ଛାତ୍ରଛାତ୍ରୀଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ ବିକାଶ କରିବାରେ ବେଶ୍ ଉପଯୋଗୀ ହେବ । ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ବିଶେଷ ସୁବିଧା ପ୍ରଦାନ କରିବ । ଛାତ୍ରଛାତ୍ରୀମାନେ ଦେଶ ଦୁନିଆର ନୂଆ ନୂଆ କଥା ଜାଣିବେ । ଏହା ଦ୍ୱାରା ସେମାନଙ୍କର ଆତ୍ମବିଶ୍ୱାସ ବଢିବ । ପିଲା ମାନଙ୍କୁ ଶାରିରୀକ ଭାବେ ସୁସ୍ଥ ରଖିବା ସହ ସେମାନଙ୍କ ମଧ୍ୟରେ ଖେଳୁଆଡ ମନୋଭାବ ଜାଗ୍ରତ କରିବ ।

ଅନୁଗୋଳ ଜବାହର ନବୋଦୟ ବିଦ୍ୟାଳୟରେ ଫିଫାର ଫୁଟବଲ୍ ଫର୍ ସ୍କୁଲ ଅଧୀନରେ ଛାତ୍ରଛାତ୍ରୀଙ୍କୁ ଫୁଟବଲ ବିତରଣ କରିଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଥିଲେ ବିଦ୍ୟାଳୟରେ ଖେଳ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷା ବ୍ୟବସ୍ଥା ପାଇଁ ବହୁତ ଲାଭଦାୟକ ଅଟେ । ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ କଳ୍ପନାରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସୁସ୍ଥ ରଖିବା ସହ ଖେଳ ପ୍ରତି ଉତ୍ସାହ ଆଣିବା ଲକ୍ଷ୍ୟରେ ଫୁଟବଲ ଫର୍ ସ୍କୁଲ୍ କାର୍ଯ୍ୟକ୍ରମ ଅଧୀନରେ ଛାତ୍ରଛାତ୍ରୀଙ୍କୁ ଫୁଟବଲ ବିତରଣ କରି ଆନନ୍ଦିତ । ଫିଫା ସମଗ୍ର ବିଶ୍ୱରେ ୪୦ ଲକ୍ଷ ଫୁଟବଲ ବିତରଣ କରୁଥିବା ବେଳେ କେବଳ ଭାରତରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେସନ (ଏଆଇଏଫଏଫ) ସହଯୋଗରେ ୧ ଲକ୍ଷ ୫୫ ହଜାର ସ୍କୁଲରେ ୮୨ ଲକ୍ଷ ୪ ହଜାର ୨୭୯ ଫୁଟବଲ ବିତରଣ କରାଯାଉଛି । ଯେଉଁଥିରେ ଫିଫା ପ୍ରାୟ ୧୧ ଲକ୍ଷ ୧୫ ହଜାରରୁ ଉର୍ଦ୍ଧ୍ୱ ଫୁଟବଲ ଦେଉଛି । ଅନୁଗୋଳରେ ମୋଟ ୧୬୯ଟି ସ୍କୁଲରେ ପ୍ରାୟ ୯୦୦ଟି ଫୁଟବଲ ବିତରଣ କରାଯିବ ।

ପିଏମ ଶ୍ରୀ ସ୍କୁଲ ନବଦୋୟ ବିଦ୍ୟାଳୟ, ଅନୁଗୋଳ ଶିକ୍ଷା, ଦକ୍ଷତା, ଖେଳ କ୍ଷେତ୍ରରେ ମଣିଷ ତିଆରି କରିବାର କାରଖାନା ଅଟେ । ଗାଁ ଗାଁରୁ ଛାତ୍ରଛାତ୍ରୀମାନେ ନବୋଦୟ ସ୍କୁଲରୁ ଯାଇ ଉଚ୍ଚ ଶିକ୍ଷା ହାସଲ କରି ଜୀବନରେ ସଫଳତା ହାସଲ କରୁଛନ୍ତି । ଆଗାମୀ ଦିନରେ ନବ ଭାରତ, ନବ ଓଡ଼ିଶା ଏବଂ ନୂଆ ଅନୁଗୋଳ ତିଆରି କରିବାରେ ଗୁରୁ ଦାୟିତ୍ୱ ନେବ, ଏହା ପୂର୍ଣ୍ଣ ବିଶ୍ୱାସ ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେ କହିଛନ୍ତି ଯେ ଚମ୍ପତ୍ତିମୁଣ୍ଡାର ସମୃଦ୍ଧମୟ ଇତିହାସ ଅଛି । ଏଠାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀ ମୌଳିକ ଶିକ୍ଷାର ବ୍ୟବହାରିକ ରୂପ ଦେଇଥିଲେ । ଚମ୍ପତ୍ତିମୁଣ୍ଡାରେ ଥିବା ନବକୃଷ୍ଣ ଚୌଧୁରୀ ସରକାରୀ ବିଦ୍ୟାଳୟର ଦାୟିତ୍ୱ ଆମେ ସମସ୍ତେ ନେବା ଉଚିତ୍ ।

ଉଲ୍ଲେଖନୀୟ ଯେ, ପିଏମ୍ ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟ, ଅନୁଗୋଳରେ ଶିଳାନ୍ୟାସ ହୋଇଥିବା ବହୁମୁଖୀ ସଭାଗୃହ ପାଇଁ ୫.୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହାବ୍ୟତିତ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ଇଣ୍ଟିଗ୍ରଟେଡ ସ୍ପୋର୍ଟ୍ସ କମ୍ପଲେକ୍ସରେ ବାସ୍କେଟ୍ ବଲ୍, ଟେନିସ, ବ୍ୟାଡମିଣ୍ଟନ, ଭଲିବଲ୍ ଖେଳିବା ଭଳି ଅତ୍ୟାଧୁନିକ ସୁବିଧା ପ୍ରଦାନ କରାଯିବ । ଶାରିରୀକ ବ୍ୟାୟାମ ପାଇଁ ଏଠାରେ ଏକ ଜିମ ନିର୍ମାଣ କରାଯିବ ।


ସେୟାର କରନ୍ତୁ