ସଂସ୍କୃତ ଆମର ଅସ୍ମିତା, ସଭ୍ୟତା ଏବଂ ସଂସ୍କୃତିର ମୂଳ ଆଧାର – ଧର୍ମେନ୍ଦ୍ର ପ୍ରଧାନ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ/ଭୁବନେଶ୍ୱର : ସଂସ୍କୃତ ଆମର ଅସ୍ମିତା, ସଭ୍ୟତା ଓ ସଂସ୍କୃତିର ମୂଳ ଆଧାର ବୋଲି ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ସମାରୋହରେ ମାନ୍ୟବର ରାଷ୍ଟ୍ରପତିଙ୍କ ସହ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସଂସ୍କୃତ ଭାଷା ବହୁ ଭାଷାର ଜନନୀ ଅଟେ । ସଂସ୍କୃତ ଭାଷା ଆମର ପ୍ରଗତିର ପରିଚୟ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସ୍କୃତ ଭାଷା ଏବଂ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସ୍ପଷ୍ଟ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି । ଭାରତର ଛାତ୍ରଛାତ୍ରୀ ସମଗ୍ର ଶିକ୍ଷା ପ୍ରାପ୍ତ କରି ଆତ୍ମନିର୍ଭର ହେବା ସହ ସମର୍ପଣ ଭାବନାର ସହିତ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ରଖିବା ପାଇଁ ଜାତୀୟ ଶିକ୍ଷା ନୀତି ଗୁରୁତ୍ୱ ଦେଉଛି । ମୋଦୀ ସରକାରରେ ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ସଂସ୍କୃତ, ବେଦ ଏବଂ ଭାରତୀୟ ଜ୍ଞାନ ପରମ୍ପରାକୁ ଏକବିଂଶ ଶତାବ୍ଦୀର ଆଧୁନିକ ଶିକ୍ଷା ବ୍ୟବସ୍ଥା ସହ ଯୋଡାଯାଉଛି ।

ସଂସ୍କୃତ ଭାଷାର ଉନ୍ନତି ପାଇଁ ଭାରତ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ସଂସ୍କୃତ ଗବେଷଣାକୁ ପ୍ରୋତ୍ସାହନ, ସ୍କୁଲ ଓ କଲେଜରେ ସଂସ୍କୃତ ଛାତ୍ରବୃତ୍ତି ସହ ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନରେ ସଂସ୍କୃତ ସେଣ୍ଟର ପ୍ରତିଷ୍ଠା କରାଯାଉଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସଂସ୍କୃତ ଓ ଅନ୍ୟ ଭାଷା ସହିତ ଯୋଡିବା ପାଇଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭାରତ ସରକାରଙ୍କ ସହଯୋଗରେ ବିଶେଷତଃ ପାଞ୍ଚଟି ପରିଯୋଜନା ଯଥା ଆୟୁର୍ବେଦ ଗୁରୁକୁଳମ, ଭାରତୀୟ ଜ୍ଞାନ ପ୍ରଣାଳି, ହିନ୍ଦୁ ଅଧ୍ୟୟନ କେନ୍ଦ୍ର, ଇଣ୍ଡିଆନ୍ ନଲେଜ୍ ସିଷ୍ଟମ ପ୍ରଶିକ୍ଷଣ କେନ୍ଦ୍ର ପରିଚାଳିତ କରୁଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶରେ ବୌଦ୍ଧିକ ଶିକ୍ଷା ପ୍ରଦାନ କରିବା ପାଇଁ ୨୦୨୨ରେ ମହର୍ଷି ସନ୍ଦିପାନୀ ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନ ଓ ସଂସ୍କୃତ ଶିକ୍ଷା ବୋର୍ଡର ସ୍ଥାପନା କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଂସ୍କୃତ ଓ ଆୟୁର୍ବେଦ ମଧ୍ୟରେ ଥିବା ଦୂରତାକୁ ପୂରଣ କରିବାରେ ବିଶ୍ୱବିଦ୍ୟାଳୟ ଅଭିନବ ପ୍ରୟାସ କରିଛି । ଜାତୀୟ ଶିକ୍ଷା ନୀତିକୁ କ୍ରିୟାନ୍ୱୟନ କରିଥିବା ଏହି ବିଶ୍ୱବିଦ୍ୟାଳୟରେ ଅପାର ଆଇଡି, ଏକାଡେମିକ୍ ବ୍ୟାଙ୍କ୍ ଅଫ୍ କ୍ରେଡିଟ୍ ଭଳି ଟେକ୍ନୋଲୋଜି ପୂର୍ବରୁ ଉପଲବ୍ଧ ହେବା ଖୁସିର ବିଷୟ । ବିଦ୍ୟାର୍ଥୀ ଓ୍ୱେଲଥ୍ କ୍ରିଏସନ ଏବଂ ଓ୍ୱେଲ ଫେୟାର ମଧ୍ୟରେ ସମନ୍ୱୟ ସ୍ଥାପିତ କରି ଏକବିଂଶ ଶତାବ୍ଦୀକୁ ଭାରତୀୟ ଶତାବ୍ଦୀ ରୂପରେ ପରିବର୍ତ୍ତିତ କରିବା ପାଇଁ ପ୍ରତିବଦ୍ଧ କରିବେ ବୋଲି ମୋର ବିଶ୍ୱାସ ରହିଥି । ଆମ ସମସ୍ତଙ୍କୁ ଭାରତୀୟ ଦର୍ଶନ ଏବଂ ଭାରତର ଜ୍ଞାନକୁ ସମଗ୍ର ଦୁନିଆର ନାଗରିକଙ୍କ ପାଖରେ ଅଧିକରୁ ଅଧିକ ଭାଷାରେ ଉପଲବ୍ଧ କରାଇବା ପାଇଁ ପ୍ରୟାସ କରିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିବା ସହ ଆଜିର ଅବସରରେ ଡିଗ୍ରୀ ଓ ସ୍ୱର୍ଣ୍ଣ ପଦକ ପାଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।


ସେୟାର କରନ୍ତୁ