ରାଜ୍ୟରେ ତାପମାତ୍ରା 43.5 ଡିଗ୍ରୀ

ରାଜ୍ୟ
ସେୟାର କରନ୍ତୁ

ଭୁ‌ବନେଶ୍ବର: ଚଳିତ ବର୍ଷ ରାଜ୍ୟରେ ତାପମାତ୍ରା ପୁଣି 43.5 ଡିଗ୍ରି ରେକର୍ଡ କରାଯାଇଛି। ଗତକାଲି ରାଜଧାନୀ ଭୁବନେଶ୍ବରରେ ଚଳିତ ବର୍ଷର ସର୍ବାଧିକ ଦିନ ତାପମାତ୍ର ରେକର୍ଡ ହୋଇଥିବା ବେଳେ ଆଜି ସମାନ ପରିମାଣରେ ଅନୁଗୁଳରେ ସୂର୍ଯ୍ୟଙ୍କ ପ୍ରଭାବ ଦେଖାଦେଇଛି । ଅର୍ଥାତ ଆଜି ଅନୁଗୁଳରେ ତାପମାତ୍ରା 43.5 ଡିଗ୍ରି ରେକର୍ଡ କରାଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ରାଜ୍ୟର 4ଟି ସହରରେ ଦିନର ସର୍ବାଧିକ ତାପମାତ୍ରା 43 ଡିଗ୍ରି ଛୁଇଁଛି। ମାଲକାନଗିରିରେ 43.2, ବୌଦ୍ଧ ଓ ଟିଟିଲାଗଡ଼ରେ 43 ଡିଗ୍ରି ପାରା ପହଞ୍ଚିଛି। ସେହିପରି କଟକରେ 43 ଓ ଭୁବନେଶ୍ବରରେ ତାପମାତ୍ରା 39.6 ଡିଗ୍ରି ରେକର୍ଡ ହୋଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଉତ୍ତର ପଶ୍ଚିମ ଓ ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଥିବା ଶୁଷ୍କ ଗରମ ବାୟୁ ପ୍ରବାହ ଦ୍ବାରା ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 2ରୁ 3 ଡିଗ୍ରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। 7 ଓ 8 ତାରିଖରେ ଏକ ଟ୍ରଫ୍‌ ଲାଇନ୍‌ ସୃଷ୍ଟି ହେବ । ଏଥିସହ ବଙ୍ଗୋପସାଗରରୁ ଜଳୀୟ ବାଷ୍ପ ବାୟୁ ବଙ୍ଗୋପସାଗରରୁ ଓଡ଼ିଶାକୁ ଆସିବାକୁ ଥିବାରୁ କାଳବୈଶାଖୀ ହୋଇପାରେ। 7 ତାରିଖରେ ଉପକୂଳ ଓ ଅଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ 40ରୁ 50 କିମି ବେଗରେ ପବନ ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ‌କିଛି ସ୍ଥାନରେ କୁଆପଥର ସହ ପ୍ରବଳ ବର୍ଷା ହେବ। 8ରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ କାଳବୈଶାଖୀ ଦ୍ବାରା ପ୍ରଭାବିତ ହେବାର ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରପାଥ ପଶୁପାଳକ କହିଛନ୍ତି ଯେ ଶନିବାର ମଧ୍ୟ ରାଜ୍ୟରେ ଗରମ ଜାରି ରହିବ । ଭୁବନେଶ୍ବର, କଟକ, ପାରାଦୀପ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀରେ ସର୍ବାଧିକ ତାପମାତ୍ରା ବଢ଼ିବ କିମ୍ବା ଅପରିବର୍ତ୍ତିତ ରହିବ। ତେବେ 7 ତାରିଖରୁ ଅଭ୍ୟନ୍ତରୀଣ ଓ ଉପକୂଳରେ ପାଗରେ ପରିବର୍ତ୍ତନ ଆସିବ । ବଙ୍ଗୋପସାଗରରେ ଲେଉଟାଣି ବାତ୍ୟା ଦ୍ବାରା ଦକ୍ଷିଣା ପବନ ମଧ୍ୟ ଉପର ବାୟୁମଣ୍ଡଳରେ ମେଘୁଆ ପାଗ ହେବ। ଆର୍ଦ୍ର ଓ ଶୁଷ୍କ ବାୟୁର ମିଶ୍ରଣ ଯୋଗୁଁ ଉପର ବାୟୁମଣ୍ଡଳରେ ଅସ୍ଥିରତା ଦେଖାଯିବ । ଫଳ‌ରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। 7 ଓ 8, 10 ଓ 11 ଏବଂ 13 ଓ 14 ତାରିଖରେ ତିନୋଟି ପର୍ଯ୍ୟାୟରେ କାଳବୈଶାଖୀ ବର୍ଷା ହେବାକୁ ଥିବାରୁ ତାପମାତ୍ରା 40 ଡିଗ୍ରି ତଳେ ରହିବ।


ସେୟାର କରନ୍ତୁ